ମଦ୍ୟପ ବାପାଙ୍କୁ ହତ୍ୟା କଲା ପୁଅ

ବୌଦ୍ଧ, ୮ା୬(ସ୍ବ.ପ୍ର): ବୌଦ୍ଧ ଥାନା ଅନ୍ତର୍ଗତ ସରଣ୍ଡା ଗ୍ରାମରେ ଗୁରୁବାର ଏକ ହତ୍ୟା ଘଟଣା ଘଟିଛି । ମଦ୍ୟପ ବାପାଙ୍କ ନିର୍ଯାତନା ଅସହ୍ୟ ହେବାରୁ ପୁଅ ତାଙ୍କୁ ହତ୍ୟା କରିଛି । ମୃତକ ହେଲେ ସଦାଶିବ ପାତ୍ର(୪୩) । ପୋଲିସ ହତ୍ୟାକାରୀ ପୁଅ ଆଶିଷଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାଛଡ ଓ ଛୁରିକୁ ପୋଲିସ ଜବତ କରିଛି । ଏ ନେଇ ବୌଦ୍ଧ ଥାନାରେ ଏକ ମାମଲା (ନଂ.୧୩୦/୧୯) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସରଣ୍ଡା ଗ୍ରାମର ସଦାଶିବ ସବୁଦିନ ମଦପିଇ ଘର ଲୋକଙ୍କ ସହିତ ଗଣ୍ଡଗୋଳ କରିବା ସହ ମାରପିଟ କରିଆସୁଥିଲେ। ଗତ ଗୁରୁବାର ସକାଳେ ସଦାଶିବ ମଦ ପିଇ ଘରେ ପହଞ୍ଚତ୍ ଥିଲେ ।
କୌଣସି କାରଣ ନ ଥାଇ ସେ ନିଜ ବୁଢୀ ମା (୮୦ ବର୍ଷ)ଙ୍କୁ ମାରପିଟ କରିଥିଲେ । ଆଶିଷ ଏହାକୁ ବିରୋଧ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ରାତି ପ୍ରାୟ ୧୦ଟାରେ ସଦାଶିବ ପୁଣି ଥରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ।
ସେ ଏକ ଲୁହାଛଡ ଧରି ସ୍ତ୍ରୀ ଦଶବନ୍ତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ମାରପିଟ୍‌ କରିଥିଲେ । ମା’ଙ୍କୁ ବାପା ଆକ୍ରମଣ କରୁଥିବା ଦେଖି ପୁଅ ଆଶିଷ ଉତ୍ତ୍ୟକ୍ତ ହୋଇ ଉଠିଥିଲେ । ସେ ସଦାଶବଙ୍କ ହାତରୁ ଲୁହାଛଡ ଛଡାଇ ନେଇ ତାଙ୍କ ପେଟକୁ ଦୁଇଥର ଭୂସିି ଦେଇଥିଲେ । ସଦାଶିବ ତଳେ ପଡି ଛଟପଟ ହେଉଥିବାବେଳେ ଆଶିଷ ଘରୁ ଏକ ଛୁରି ଆଣି ତାଙ୍କ ଗଳାକୁ କାଟି ଦେଇଥିଲେ । ମା’ ଦଶବନ୍ତୀ ପୁଅ ହାତରୁ ଛୁରି ଛଡାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ବିଫଳ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ସଦାଶିବଙ୍କ ମୃତ୍ୟୁ ଘଟିଥିଲେ । ଆଶିଷ ଏ ସମ୍ପର୍କରେ ଫୋନ ଯୋଗେ ବୌଦ୍ଧ ଥାନାକୁ ଜଣାଇଥିଲେ ।
ସୂଚନା ପାଇ ପୋଲିସ ତୁରନ୍ତ ସରଣ୍ଡା ଗ୍ରାମରେ ପହଞ୍ଚତ୍ ସଦାଶିବଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲା ।
ପରେ ପୋଲିସ ଆଶିଷଙ୍କୁ ଥାନାକୁ ଆଣି ପଚରାଉଚୁରା କରିବାରେ ସେ ନିଜ ବାପାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିବା ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ପ୍ରକାଶ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Share