Categories: ଗଞ୍ଜାମ

ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ଖଲ୍ଲିକୋଟ,୩୦ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କୁଶଢ଼ିପ ଛକ ନିକଟରେ ରବିବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଛକରେ ଚାଲିଥିବା ବେଆଇନ ମଦ କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ କୈଳାସ ବାରିକ (୪୫)। ଜଣେ ମହିଳା ଓ ତାଙ୍କର ୨ ସହଯୋଗୀ ମିଶି କୈଳାସଙ୍କୁ ହତ୍ୟା କରିଥିବା ତାଙ୍କ ସ୍ତ୍ରୀ କୁନି ଖଲ୍ଲିକୋଟ ଥାନାରେ ଏତଲା ଦେଇଛନ୍ତି। ସୋମବାର ପୋଲିସ ହତ୍ୟା ମାମଲା (ନଂ.୧୦୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ଗିରଫ ଦାବି ନେଇ ମୃତଙ୍କ ଆତ୍ମୀୟସ୍ବଜନ ଓ ଅଞ୍ଚଳର ବହୁ ଲୋକ ରାସ୍ତାରୋକୋ କରିଥିଲେ। ପୋଲିସ ପହଞ୍ଚି ଖୁବଶୀଘ୍ର ଅଭିଯୁଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଛି।

ଖଲ୍ଲିକୋଟ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଧଡ଼କ ମଦ କାରବାର ଚାଲିଛି। କୁଶଢ଼ିପ ଛକ ନିକଟ ଏକ ଘରେ ଦୀର୍ଘଦିନ ହେବ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିଲା। ବିଭିନ୍ନ ସମୟରେ ଅସାମାଜିକ ଲୋକେ ଏଠାରେ ଆଡ୍ଡା ଜମାଇ ବିଶୃଙ୍ଖଳା ସୃଷ୍ଟି କରୁଥିଲେ। କୈଳାସ ଏହାକୁ ବିରୋଧ କରି ଆସୁଥିଲେ। ରବିବାର ରାତିରେ ସେ ଉକ୍ତ ଘର ନିକଟକୁ ଯାଇ ପ୍ରତିବାଦ କରିବାରୁ ଜଣେ ମହିଳା ଓ ତାଙ୍କର ୨ ସହଯୋଗୀ ତାଙ୍କୁ ପଥରରେ ଛେଚି ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ କୈଳାସଙ୍କୁ ଖଲ୍ଲିିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ମଧ୍ୟ ସେତେବେଳେକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଅଭିଯୋଗ ପାଇ ସୋମବାର ଖଲ୍ଲିିକୋଟ ଥାନା ଆଇଆଇସି ସୁନୀଲ କୁମାର ବେହେରା ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ହତ୍ୟାକାଣ୍ଡ ପରେ ଉକ୍ତ ଘରେ ତାଲା ପକାଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା। ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।