ମଦ ଚାଲାଣବେଳେ ଗୋଡ଼ାଇଲେ ଅବକାରୀ କର୍ମଚାରୀ: ବ୍ରାହ୍ମଣୀକୁ ଡେଇଁ ଯୁବକ ମୃତ

ପରଜଙ୍ଗ, ୩।୭ (ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ବୁଧବାର ଅଭାବନୀୟ ଘଟଣା ଘଟିଛି। ବାଇକ୍‌ରେ ମଦଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ବର୍ତ୍ତିବା ପାଇଁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଥିବା ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଆମ୍ବପଳାସ ଗ୍ରାମର ଶାନ୍ତନୁ ମହାପାତ୍ର।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶାନ୍ତନୁ ବୁଧବାର ଭୋର୍‌ ସାଢେ ୫ଟା ବେଳେ ୫୩ନଂ. ଜାତୀୟ ରାଜପଥରେ ବାଇକ୍‌ (ଓଡ଼ି ୧୯ ଏଚ୍‌ ୧୭୮୩) ଯୋଗେ ମହୁଲି ମଦ ନେଇ ଆମ୍ବପଳାସରୁ ତାଳଚେର ଆଡ଼କୁ ଯାଉଥିଲେ। ଏହି ସମୟରେ ଏକ ସ୍କର୍ପିଓରେ ଅବକାରୀ ବିଭାଗ କର୍ମଚାରୀ ତାଙ୍କୁ ପିଛା କରିଥିଲେ। ଗିରଫ ଭୟରେ ସେ ବାଇକ୍‌କୁ ବ୍ରିଜ୍‌ ପାର୍ଶ୍ୱରେ ରଖିଦେଇ କିଛି ବାଟ ଦୌଡ଼ିଥିଲେ। ଅବକାରୀ ବିଭାଗ କର୍ମଚାରୀ ନିକଟତର ହୋଇଯିବାରୁ ସେ ନଦୀକୁ ଡେଇଁ ପଡ଼ିଥିଲେ। ତେବେ ପାଣି ପରିବର୍ତ୍ତେ ବାଲିରେ ପଡ଼ିବାରୁ ତାଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଳଚେର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ କର୍ମଚାରୀମାନେ ପହଞ୍ଚତ୍ଥିଲେ ମଧ୍ୟ ସେଠାରୁ ପଳାଇ ଆସିଥିବା ଅଞ୍ଚଳବାସୀ କହିଛନ୍ତି।
ଅନ୍ୟପଟେ ଏହି ଘଟଣା ପାଇଁ ଅବକାରୀ ବିଭାଗକୁ ଦାୟୀ କରିଛନ୍ତି ଶାନ୍ତନୁଙ୍କ ଭାଇ ମୁନୁ ମହାପାତ୍ର। ଏ ନେଇ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ଅବକାରୀ ଏଏସ୍‌ଆଇ ବଟକୃଷ୍ଣ ରାଉଳ ମଦ ବାଇକ୍‌କୁ ପିଛା କରୁଥିବା ସ୍ବୀକାର କରିଛନ୍ତି। ହେଲେ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ସମ୍ପର୍କରେ ଜାଣି ନ ଥିବା ସେ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।