ମଦ ଦୋକାନରେ ଭିଡ଼, କଟକଣାକୁ ବେଖାତିର

ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): କରୋନା ଭୂତାଣୁ କବଳରୁ ମୁକ୍ତ ନେଇ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାଜ୍ୟ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜନଗହଳି ଉପରେ କଟକଣା ଲଗାଇଥିବା ବେଳେ ମଦ ଦୋକାନ ଓ ବାରଗୁଡିକରେ ସେଭଳି କୌଣସି କଟକଣା ବ୍ୟବସ୍ଥା ନ ଥିବା ଦେଖିବାକୁ ମିଳିଛି। ସମ୍ପ୍ରତି ଅନେକ ମଦ ଦୋକାନରେ ସଞ୍ଜ ନଇଁ ଆସିଲେ ଭିଡ଼ ଅସମ୍ଭାଳ ହେଉଛି। ଅନୁସନ୍ଧାନ ସମୟରେ ରାଜଧାନୀର ରବି ଟକିଜ୍‌ ଛକ, ଏୟାରପୋର୍ଟ ଛକ, ରାଜମହଲ ଛକ, କଟକ ରୋଡ଼ର ଥିବା ମଦ ଦୋକାନ ସମେତ ଅନେକ ସ୍ଥାନରେ ପ୍ରବଳ ଭିଡ଼ ସହ ପାର୍କିଂ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି। ମଦ କିଣୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ରାଜ୍ୟ ବାହାର ଏବଂ ରାଜ୍ୟର ଅନେକ ଗ୍ରାହକ ରହିଛନ୍ତି। ରାଜଧାନୀରେ ସଚେତନ ଏବଂ ଶିକ୍ଷିତ ନାଗରିକ ଥାଇ ମଧ୍ୟ କଟକଣାକୁ କେହି ମାନୁନାହାନ୍ତି। ସରକାର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ମଦ ଦୋକାନରେ ଅହେତୁକ ଭିଡକୁ କମେଇବା ପାଇଁ ପଦକ୍ଷେପ ନେଉନାହାନ୍ତି। ବୋଧହୁଏ ରାଜସ୍ବ ଆଦାୟ ଲକ୍ଷ୍ୟରେ ଦୋକାନୀମାନଙ୍କ ପାଇଁ କୌଣସି କଟକଣା ଜାରି କରାଯାଇନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଯଦ୍ଦ୍ବାରା କରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଅବକାରୀ ବିଭାଗ ପକ୍ଷରୁ ଏହାକୁ ତନଖି କରାଯାଇ କୌଣସି ପଦକ୍ଷେପ ନେବା ପାଇଁ ମଧ୍ୟ ଗାଇଡ ଲାଇନ ରହିନାହିଁ। ସରକାର ମଦ ବିକ୍ରି କରିବାକୁ ପ୍ରୋତ୍ସାହନ ଦେଉଥିବାବେଳେ ଅବକାରୀ ବିଭାଗର ଅଧିକାରୀମାନେ ବେଫିକର ହୋଇ ପଡିଛନ୍ତି। କୌଣସିଠାରେ ସେମାନେ ଟ୍ରାଫିକ୍‌ ବ୍ୟବସ୍ଥା ହେଉ କିମ୍ବା କରୋନା ସମ୍ପର୍କିତ ସଚେତନତା ମୂଳକ ପଦକ୍ଷେପ ସ୍ବରୂପ ଦୋକାନୀମାନଙ୍କୁ ତଦାରଖ କରୁନାହାନ୍ତି। ଫଳରେ ଏ ସମସ୍ତ ମଦଦୋକାନଗୁଡିରେ ଫିଲ୍ମ ହଲ ଭଳି ଲୋକ କାଉଣ୍ଟରରେ ଗହଳି ଲଗାଉଛନ୍ତି। ଏ ସମ୍ପର୍କରେ ଅବକାରୀ ବିଭାଗ ସୁପରିଣ୍ଟେଣ୍ଟେଣ୍ଡ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରେ ମଦ ଦୋକାନ ମାଲିକମାନଙ୍କୁ ଭିଡ କମାଇବାକୁ ଅବଗତ କରାଇଥିଲୁ। କେତେଜଣ ମାଲିକ ଏହାକୁ ମାନି ମଦ ଦୋକାନ ସମ୍ମୁଖରେ ଗହଳି କମାଇଛନ୍ତି। ଯେଉଁମାନେ କଟକଣାକୁ ନ ମାନିଛନ୍ତି ସେମାନଙ୍କୁ ପୁଣି ବୁଧବାର କୁହାଯିବ। ଯଦି ସେମାନେ ନ ମାନନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Share