ମଦ ଦୋକାନ ଖାତା ପତ୍ର ଯାଞ୍ଚ କଲେ ଅଧିକାରୀ

ଖଇରା, ୮।୬(ଡି.ଏନ.ଏ.)-ଜିଲା ଅବକାରୀ ବିଭାଗ ଓ ଖଇରା ରାଜସ୍ବ ବିଭାଗ ତରଫରୁ ମିଳିତ ଭାବେ ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଖଇରା ଓ କୁପାରୀ ବଜାରରେ ଥିବା ବିଦେଶୀ ମଦ ଦୋକାନ ଉପରେ ଚଢାଉ କରାଯାଇ ସେମାନଙ୍କର ଖାତାପତ୍ର ଯାଞ୍ଚ କରାଯାଇଛି। ପୂର୍ବାହ୍ନରେ ଅବକାରୀ ବିଭାଗର ନୀଳିଗିରି ଇନ୍ସପେକ୍ଟର ଜ୍ୟୋତିର୍ମୟ ପଟେଲ ଓ ଖଇରାର ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍‌ ଖଇରା ବଜାରରେ ଥିବା ଲାଇସେନ୍ସପ୍ରାପ୍ତ ଦୋକାନ ଉପରେ ଅଚାନକ ଚଢାଉ କରି ଖାତାପତ୍ର ଓ ଷ୍ଟକ ଯାଞ୍ଚ କରିଥିଲେ। କୁପାରୀରେ ମଧ୍ୟ ଅନୁରୂପ ଚଢାଉ କରାଯାଇଥିଲା। ଏଥିରେ ସୋର ସବ୍‌ଇନ୍ସପେକ୍ଟର କୁଳମଣି ମହାରଣା, ଖଇରା ରାଜସ୍ବ ନିରୀକ୍ଷକ କାଳିଚରଣ ମାଝି ଏଥିରେ ସାମିଲ ଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଯାଞ୍ଚ କରାଯାଇଥିଲା। ଅନିୟମିତତା ନେଇ ରିପୋର୍ଟ ବରିଷ୍ଠ ଅଧିକାରୀଙ୍କୁ ଦିଆଯିବ ବୋଲି ଅତିରିକ୍ତ ତହସିଲଦାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଖଇରା ମଦଦୋକାନ ସମ୍ମୁଖରେ କେତେଜଣ ଲୋକ ସାମାଜିକ ଦୂରତା ନ ମାନି ଠେଲାପେଲା ହୋଇ ମଦ କିଣୁଥିବା ଏବଂ ମଦବିକ୍ରେତା ସରକାରଙ୍କ ଗାଇଡଲାଇନକୁ ଭୁଲି ଅନଲାଇନ ବଦଳରେ କାଉଣ୍ଟରରେ ଲୋକାଙ୍କୁ ମଦ ବିକୁଥିବା ଦୃଶ୍ୟ ଭାଇରାଲ ହେବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।