Advertisement
Categories: ଗଞ୍ଜାମ

ମଦ ଦୋକାନ ବନ୍ଦ ଲାଗି ଅଣ୍ଟା ଭିଡିଲେ ମହିଳା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ବ୍ଲକ ହରିଡାପଦର ଗ୍ରାମର ଅସବର୍ଣ୍ଣ ବସ୍ତିରେ ଏକ ଚୋରା ମଦ ଦୋକାନକୁ କେନ୍ଦ୍ର କରି ଶୁକ୍ରବାର ସମ୍ପୃକ୍ତ ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ମଧ୍ୟାହ୍ନରେ ଶତାଧିକ ମହିଳା ବସ୍ତି ସଂଲଗ୍ନ ନୂଆବନ୍ଧ ତୋଟାରେ ଏକ ବୈଠକ ଡାକି ଚୋରାମଦ ଦୋକାନ ହଟାଇବା ଲାଗି ନିଷ୍ପତ୍ତି ନେଇଥିଲେ। ଏହି ମଦ ଦୋକାନ ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହେଉଥିବା ଅଭିଯୋଗ କରିଥିଲେ। ଏପରିକି ମହିଳାମାନେ ଏହି ଦାବିକୁ ନେଇ ସଂଘବଦ୍ଧ ଭାବେ ଗଞ୍ଜାମ ଜିଲାପାଳଙ୍କ ଦ୍ୱାରସ୍ଥ ହେବା ଲାଗି ମଧ୍ୟ ନିଷ୍ପତ୍ତି ନେଇଥିଲେ। ତେବେ ମଦ ଦୋକାନ କରିଥିବା ସେହି ବସ୍ତିର ଜଣେ ଯୁବକ ବୈଠକ ସ୍ଥଳରେ ପହଞ୍ଚତ୍ ଏହି ମଦ ଦୋକାନ କରିଥିବାରୁ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତରେ ଏହି କାର୍ଯ୍ୟରୁ ନିବୃତ୍ତ ରହି ମଦ ଦୋକାନ ବନ୍ଦ କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୂଚନା ଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ବସ୍ତିର ମହିଳାମାନେ ଏହି ମଦ ଦୋକାନକୁ ଜୋର ଜବରଦସ୍ତ ବନ୍ଦ କରିଥିଲେ। ତେବେ ବୁଧବାରଠାରୁ ପୁଣି ସେଠାରେ ମଦ ଦୋକାନ ଖୋଲିବାରୁ ଗୁରୁବାର ବସ୍ତିର ମହିଳାମାନେ ଜୋର ଜବରଦସ୍ତ ମଦ ଦୋକାନରେ ପଶି ବିକ୍ରି ଲାଗି ରହିଥିବା ମଦ ପାଉଚ ପ୍ୟାକେଟ ସବୁ ଜବତ କରି କୋଠଘରେ ରଖିଥିଲେ। ଶୁକ୍ରବାର ବୈଠକ ପରେ ଜବତ କରାଯାଇଥିବା ମଦ ପ୍ୟାକେଟ ସବୁ ପୋଡି ଦିଆଯାଇଥିବା ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel