ମଦ ଦୋକାନ ସିଲ୍‌ କେବଳ ଲୋକ ଦେଖାଣିଆ

ସମ୍ବଲପୁର,୨୨ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖଠାରୁ ଦୋକାନ ବଜାର ବନ୍ଦ ରହିଛି । ବିଦେଶୀ ମଦ ଦୋକାନ ଓ ବାର, ଦେଶୀ ମଦଭାଟି ଗୁଡିକ ମଧ୍ୟ ସିଲ୍‌ କରାଯାଇଛି । ସବୁ ଦୋକାନରେ ତାଲା ପଡିଛି । ହେଲେ ଖୋଲା ବଜାରରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ, ରନ୍ଧା ମଦ ଯାହାକୁ ଯେତେ ମିଳୁଛି। ଅଭ୍ୟାସଗତଙ୍କ ପାଖରେ ସହଜରେ ମଦ ପହଞ୍ଚି ଯାଉଛି । ବାଇକ୍‌, ବିଭିନ୍ନ ଗାଡି, ଦୁଗ୍ଧ ଗାଡି, ଘରୋଇ କାର, ପାସେଞ୍ଜର ନେଇ ଯାଉଥିବା ଅଟୋରେ ଚୋରା ଚାଲାଣ ହେଉଛି। ଜିଲାର ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଳେ ସହର ଭିତରକୁ ମଧ୍ୟ ଅବାଧରେ ପ୍ରବେଶ କରୁଛି। ଏବେ ସହର ସାରା ପୋଲିସ ଛାଉଣୀ। ହେଲେ ଚୋରାରେ ମଦ ବ୍ୟବସାୟ ହେଉଛି। ପୋଲିସ ଧରିବାରେ ବିଫଳ ହେଉଛି। ଅଭ୍ୟାସଗତଙ୍କ ପାଇଁ ମଦ ମଳିବାରେ ସତେ ଯେଭଳି ଅସୁବିଧା ନାହିଁ । ସହର ଉପକଣ୍ଠ ଯୁଯୁମୁରା, ବୁର୍ଲା, ଶାସନ, ହୀରାକୁଦ ଅଞ୍ଚଳରେ ଯାହାକୁ ଯେତେ ମଦ ବିକ୍ରି ହେବା ସହ ସହରକୁ ଆସୁଛି । ବେଆଇନ ମଦ ବ୍ୟବସାୟୀ ଏଥିରେ ଲାଭବାନ ମଧ୍ୟ ହେଉଛନ୍ତି। ଲାଇସନ୍ସପ୍ରାପ୍ତ ମଦ ଦୋକାନୀଙ୍କ ମଧ୍ୟ ସଂପୃକ୍ତି ରହୁଛି। ପ୍ରଶାସନ ପକ୍ଷରୁ କେବଳ ମଦ ଦୋକାନରେ ସିଲ୍‌ କରାଯାଇଛି। ହେଲେ ମଦ ବ୍ୟବସାୟୀଙ୍କ ଘର, ଗୋଦାମ ଓ ବିଭିନ୍ନ ସ୍ଥାନରେ ମଦ ଷ୍ଟକ୍‌ ରହିଛି। ଏଠାରୁ ନେଇ ବଜାରରେ ଚଢା ଦରରେ ଆରାମରେ ବିକ୍ରି ହେଉଛି। ଏଭଳିକି ମୂଳ ଦାମରୁ ୪ ଗୁଣା ଅଧିକ ଦରରେ ଲୋକେ କିଣୁଛନ୍ତି। ତେଣୁ ଲାଇସନ୍ସପ୍ରାପ୍ତ ଦୋକାନୀଙ୍କ ଷ୍ଟକ ଯାଞ୍ଚ କରାଯିବା ଆବଶ୍ୟକ। ନକଲି ବିଦେଶୀ ମଦ ତିଆରି କରୁଥିବା ମାଫିଆ ମଧ୍ୟ ଏହି ସମୟରେ ସକ୍ରୀୟ ହୋଇଯାଇଛନ୍ତି । ସେମାନେ କଟକଣାର ସୁଯୋଗ ନେଇ ବିଭିନ୍ନ କମ୍ପାନୀର ମଦ ତିଆରି କରି ମଦ ବିକ୍ରି କରୁଛନ୍ତି । ଏହା ମଧ୍ୟ ବଜାରରେ ପ୍ରବେଶ କରୁଛି। ଏହା ସହ ବିଶେଷ କରି ଗ୍ରାମାଞ୍ଚଳରେ ରନ୍ଧାମଦ ବିକ୍ରି ପରିମାଣ ବଢି ଯାଇଛି । କୁସୁନାଭାଟିରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଜଙ୍ଗଲରେ ମହୁଲ ଫୁଲରୁ ମଦ ରନ୍ଧା ତିଆରି ହେଉଛି। ରାତି ଅଧିଆ ତିଆରି କରାଯାଉଛି। ସକାଳେ ବିକ୍ରି ଶେଷ ହୋଇଯାଉଛି। ଏଥିରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହୁଛି। ସେହିଭଳି ଅବକାରୀ ବିଭାଗର ସ୍ବଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି ଯେ, ଏ ସମୟରେ ମଦ ବିକ୍ରି ସମ୍ପୂର୍ଣ୍ଣ ବେଆଇନ। ଅଭିଯୋଗ ଆସିଲେ ଚଢାଉ କରାଯିବ ବୋଲି ସେ କହିଛନ୍ତି।

Share