ମଦ ପାଇଁ ୮୫ ବର୍ଷର ମା’, ଭଉଣୀଙ୍କୁ ହାଣିଲେ

ଭୁବନେଶ୍ୱର,୧୮ା୧(ବ୍ୟୁରୋ): ମଦ ପାଇଁ ଅନ୍ଧ ପାଲଟିଲେ ନିର୍ଦ୍ଦୟ ପୁଅ। ୮୫ ବର୍ଷର ବୃଦ୍ଧ ମା’ ଓ ୬୮ ବର୍ଷର ଭଉଣୀଙ୍କୁ ଗୋଡାଇ ଗୋଡାଇ ହାଣିଲେ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ସେମାନଙ୍କୁ ଡାକ୍ତରଖାନାକୁ ନେବାକୁ କେହି ନ ଥିଲେ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଗୋଖିବାବା ମନ୍ଦିର ନିକଟରେ ଘଟିଛି ଏହି ହୃଦୟବିଦାରକ ଘଟଣା। ଘର ଭିତରେ ବହୁ ସମୟ ପଡ଼ି ରହିବା ପରେ ସ୍ଥାନୀୟ ଯୁବକମାନେ ଗୁରୁତର ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେମାନଙ୍କ ପାଖରେ ନିଜର ଲୋକ ନ ଥିବାରୁ ଡାକ୍ତର ଓ କର୍ମଚାରୀ ସହଯୋଗ କରି ନ ଥିଲେ। ପ୍ରାଥମିକ ଚିକିତ୍ସା କରି ମେଡିସିନ ଲେଖି ଘରକୁ ନେଇଯିବାକୁ କହିଥିଲେ। ଆଡ୍‌ମିଶନ କରନ୍ତୁ, କାଲିଠାରୁ ପାଳିକରି ଆହତଙ୍କ ପାଖରେ ରହିବେ ବୋଲି ଯୁବକମାନେ କହିଥିଲେ ମଧ୍ୟ ଡାକ୍ତର କିମ୍ବା କର୍ମଚାରୀ କିଛି ଶୁଣି ନ ଥିଲେ। କ୍ଷତ ସ୍ଥାନରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଏପରି ଅବସ୍ଥା ଦେଖି ଯୁବକମାନେ ହୋହଲ୍ଲା କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ହସ୍ପିଟାଲ ଫାଣ୍ଡି ପୋଲିସର ହସ୍ତକ୍ଷେପ ପରେ ଆଡ୍‌ମିଶନ କରାଯାଇଥିଲା।
ଆହତ ଦ୍ୱୟ ହେଲେ କାଳୀ ନାୟକ ଓ ଝିଅ ରୁକ୍ମିଣୀ। ଅଭିଯୋଗ ଅନୁସାରେ, ସେମାନେ ପୁଅ ସହ ସୁନ୍ଦରପଦାରେ ରୁହନ୍ତି। ବିବାହିତ ପୁଅ ନିଶାଖାଇ ପ୍ରତିଦିନ ପରିବାର ସଦସ୍ୟଙ୍କୁ ମାର୍‌ପିଟ୍‌ କରନ୍ତି। ଏଥିଯୋଗୁ ତାଙ୍କ ସ୍ତ୍ରୀ ଘରଛାଡ଼ି ବାପଘରକୁ ପଳାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ ପୁଅ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ମଦ ପିଇବା ପାଇଁ ମା’ ଓ ଭଉଣୀଙ୍କୁ ଟଙ୍କା ମାଗିଥିଲେ। ପରିବାର ଅତ୍ୟନ୍ତ ଗରିବ। ଘରେ ଟଙ୍କା ନ ଥିବାରୁ ବୃଦ୍ଧା ମା’ ଓ ଭଉଣୀ ମନା କରିଥିଲେ। ଟଙ୍କା ନ ମିଳିବାରୁ ପୁଅ ଏକ କଟୁରି ଆଣି ଉଭୟଙ୍କୁ ଗୋଡ଼ାଇ ହାଣିଥିଲେ। ସେମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବାବେଳେ ଅଭିଯୁକ୍ତ ପୁଅ ଫେରାର ହେବାକୁ ଉଦ୍ୟମ କରିଥିଲେ। ଚିତ୍କାର ଶୁଣି ପଡୋଶୀ ଓ ସ୍ଥାନୀୟ ଯୁବକମାନେ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବାରେ ବିଳମ୍ବ ହେବାରୁ ଆହତ ଦ୍ୱୟଙ୍କୁ ଯୁବକମାନେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ପିସିଆର୍‌ ପୋଲିସ ପହଞ୍ଚତ୍ ଅଭିଯୁକ୍ତ ପୁଅକୁ ଥାନାକୁ ନେଇଥିଲା।
ଏନେଇ ଥାନା ଅଧିକାରୀ ଜ୍ଞାନେନ୍ଦ୍ର କୁମାର ସାହୁ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣା ସଂକ୍ରାନ୍ତରେ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ କରାଯାଇ ନାହିଁ। ସ୍ଥାନୀୟ ଚୌକିଦାରଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ବୋଲି ସାହୁ ସୂଚନା ଦେଇଛନ୍ତି।

Share