ମଦ ପିଇ ରାସ୍ତାରେ ଗଡ଼ିବା ଘଟଣା: ନିଲମ୍ବିତ ହେଲେ ଶିକ୍ଷକ

ବୁଗୁଡ଼ା,୧୩୯(ଡି.ଏନ.ଏ.): ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ସହକାରୀ ଶିକ୍ଷକ କୀର୍ତ୍ତିଚନ୍ଦ୍ର ଭୋଇ ବୁଧବାର ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡିବା ଅଭିଯୋଗରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା ଗୁରୁବାର ତାଙ୍କୁ ନିଲମ୍ବିତ କରିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅଫିସ ଅର୍ଡର ନଂ.୧୩୦୬୨ରେ ନିର୍ଦ୍ଦେଶନାମା ବିଇଓ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନିକଟକୁ ଆସିଛି। ଶିକ୍ଷକ ଭୋଇ ସ୍କୁଲକୁ ଯାଇ ଅପରାହ୍ନରେ ଫେରିଥିଲେ। ପରେ ମଦ୍ୟପାନ କରି ରାସ୍ତାରେ ଗଡ଼ୁଥିବା ଦେଖାଯାଇଥିଲା। ଏନେଇ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଗୁରୁବାର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଜିଲା ଶିକ୍ଷାଧିକାରୀଙ୍କ ଦୃଷ୍ଟିକୁ ଆସିଥିଲା । ତେଣୁ ସେ ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ବୁଗୁଡ଼ା ବିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଇଓ ଗୁରୁବାର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତିଙ୍କ ସହ କଥାବାର୍ତ୍ତା ହୋଇ ସ୍କୁଲକୁ ତଦନ୍ତ ପାଇଁ ଯାଇଥିଲେ। ଶିକ୍ଷକ ଭୋଇ ପୂର୍ବରୁ ମଧ୍ୟ ଶ୍ରେଣୀରେ ମଦ୍ୟପାନ କରି ପାଟିତୁଣ୍ଡ କରିବା ଘଟଣା ମଧ୍ୟ ଜାଣିବାକୁ ପାଇଥିଲେ ।