ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ସଂଘ

ବେଗୁନିଆପଡା,୧୧ା୪(ଡି.ଏନ.ଏ.)-ବେଗୁନିଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଛି। ଦୋକାନ ବଜାରରେ ଚୋରା ମଦ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପାଉଚ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଚନ୍ଦନପୁର ଗ୍ରାମରେ ଚୋରା ମଦ ବିକ୍ରି ହେବା ଫଳରେ ଆଖପାଖ ଗ୍ରାମରୁ ଅନେକ ଲୋକ ଆସୁଛନ୍ତି। ମଦ ପାଇଁ ଗହଳି ହେବାରୁ ଗ୍ରାମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ ଗୁରୁବାର ଗଁାରେ ବିକ୍ରି କରୁଥିବା ଚୋରା ବେପାରୀଙ୍କ ଘରକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ। ଶୁକ୍ରବାର କେତେ ଜଣ ବେପାରୀ ପୁଣି ମଦ ବିକ୍ରି କରିବା ସହିତ ମହିଳାଙ୍କୁ ଧମକ ଦେଉଥିବା ଜଣାପଡିବା ପରେ ପୁଣି ମହିଳାମାନେ ବେଗୁନିଆପଡା ଫାଣ୍ଡିକୁ ଖବର ଦେବା ସହିତ ବେପାରୀଙ୍କ ଘରକୁ ଯାଇ ତାଗିଦ କରିଥିଲେ। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଦୀପ୍ତୀ ରଞ୍ଜନ ବେହେରାଙ୍କୁ ପଚାରିବାରୁ ମହିଳା ସଂଘ ଚୋରା ମଦ ବନ୍ଦ କରିବା ପାଇଁ ସହଯୋଗ ମାଗିଛନ୍ତି। ଆମେ ନିଶ୍ଚିତ ସେମାନଙ୍କୁ ସାହାଯ୍ୟ କରିବୁ।

Share