ମଦ ବିରୋଧରେ ତାତିଲେ ମହିଳା

ଲୋଇସିଂହା,୨୫।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ମହିଳାମାନେ ସଟ୍ଟା ଏବଂ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଗୁରୁବାର ବୁର୍ଡା-ସୋନପୁର ରାସ୍ତାରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀମଦ ବିକ୍ରୟ ଶାଖା(ଭାଟି)ଉପରେ ଚଢାଉ କରି ବିକ୍ରି ପାଇଁ ଗଚ୍ଛିତ ଥିବା ବିପୁଳ ଦେଶୀ ମଦକୁ ମାଡି, ଦଳି ନଷ୍ଟ କରିଛନ୍ତି। ବୁର୍ଡା ଗ୍ରାମକୁ ନିଶା ନିବାରଣ କରିବା ଉଦ୍ଦେଶ୍ୟରେ ଆଇନ ହାତକୁ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ମହିଳାମନେ ପ୍ରକାଶ କରିଛନ୍ତି। ବୁର୍ଡା ଗ୍ରାମରେ ବେଆଇନ ବିକ୍ରି କରୁଥିବା କୁଚିଆ ଏବଂ ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀମଦ ବିକ୍ରୟ ଶାଖା ବନ୍ଦ କରିବା ପାଇଁ ସେମାନେ ଜିଲା ପ୍ରଶାସନକୁ ଦୀର୍ଘଦିନ ଧରି ଜଣାଇ ଆସୁଥିଲେ ା ଗତ ୨୨ ତାରିଖ ଲୋଇସିଂହା ବ୍ଲକରେ ଜିଲାପାଳ ଏବଂ ଏସ୍‌ପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ମଦକୁଚିଆ ଏବଂ ମଦଭାଟି ଉଠାଇ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ମଧ୍ୟ ଲୁଚାଛପାରେ ମଦବିକ୍ରି ଜାରି ରହିଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ଧର୍ମକୁ ଆଖିଠାର ଭଳି ପଦକ୍ଷେପ ଏହା ଗ୍ରାମାବସୀଙ୍କୁ ପ୍ରତିକ୍ରିୟାଶୀଳ କରିଥିଲା। ବୁଧବାର ରାତିରେ ଗ୍ରାମର ରାମମନ୍ଦିରଠାରେ ଶତାଧିକ ଏସ୍‌ଏଚ୍‌ଜି ମହିଳା ଏବଂ ଗ୍ରାମ୍ୟ କମିଟି ସଦସ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗାଁରେ ଚାଲିଥିବା ସଟ୍ଟା ଏବଂ ମଦକାରବାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସ୍ଥିର ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଗାଁର ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ପରୁଷମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।ମହିଳାମାନେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳକୁ ଯାଇ ମଦ ବିରୋଧୀ ଆନ୍ଦୋଳନରେ ସାଥ ଦେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ପରେ ବିଭିନ୍ନ ନିଶା ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ମଦଭାଟିକୁ ଯାଇଥିଲେ। ପୂର୍ବସୂଚନା ପାଇଁ ମଦଭାଟି ବନ୍ଦ ରହିଥିଲା। ଭାଟି ବାହାରେ ଥିବା ମ୍ୟାନେଜର ମହିଳାଙ୍କୁ ଅଟକାଇ ଥିଲେ। ଦୁଇଦିନ ହେବା ମୁଁ ଏଠାରେ ଯୋଗଦେଇଛି। ଲିଖିତ ଅଭିଯୋଗ ଦେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି। ସରକାର ଲାଇସେନ୍ସ ଦେଇଛନ୍ତି, ସରକାର ରଦ୍ଦ କରିବେ ବୋଲି ସେ ମହିଳାଙ୍କୁ କହିଥିଲେ। ଭାଟି ମ୍ୟାନେଜରଙ୍କ ଏଭଳି କଥା ନିଆଁରେ ଘିଅ ଢାଳିିବା ସଦୃଶ ହୋଇଥିଲା। ଏହାପରେ ସେମାନେ ସଂଘବନ୍ଧ ଭାବେ ଭାଟିକୁ ପଶି କ୍ୟାରେଟରେ ଥିବା ମଦ ପାଉଚ ସବୁ ବାହାରକୁ ଆଣି ଦଳିମାଡି ନଷ୍ଟ କରି ଦେଇଥିଲେ। ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମହିଳାଙ୍କୁ ବୁଝାଶୁଝା କରିଥିଲେ।