ମଦ ହେଲା କାଳ: ପୁଅକୁ ଟାଙ୍ଗିଆରେ ହାଣିଲା ନିଶାସକ୍ତ ବାପା

କେନ୍ଦୁଝର, ୧୮ା୧୧(ସ୍ବ.ପ୍ର./ଡି.ଏନ.ଏ.)-ମଦ୍ୟପାନ କରି ହୋସ୍‌ ହରାଇ ଜଣେ ବାପା ସାମାନ୍ୟ ଘଟଣାକୁ ନେଇ ଟାଙ୍ଗିଆରେ ପୁଅଙ୍କୁ ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସଦରଥାନା ଅନ୍ତର୍ଗତ ଶୁଆକାଠି ନିକଟ ଲୁଣଘର ଗ୍ରାମରେ ଏହି ଅଘଟଣ ରବିବାର ଘଟିଛି। ମୃତକ ପୁଅଙ୍କ ନାମ ଘନ ମୁଣ୍ଡା (୨୦)। ଏନେଇ ସୋମବାର ସନ୍ଧ୍ୟାରେ ସଦର ଥାନାରେ ଘନଙ୍କ ବଡ ଭାଇ ଏତଲା ଦେଇଥିବା ବେଳେ ହତ୍ୟା କରିଥିବା ବାପା ଚେରାଙ୍ଗ ମୁଣ୍ଡା ଫେରାର ଥିବା ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ସୂଚନା ଦେଇଛନ୍ତି । ପୋଲିସ ମେଡିକାଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ।
ପ୍ରକାଶ ଯେ, ଗତ ରବିବାର ଘନଙ୍କ ମା’ ମଞ୍ଜୁ ମୁଣ୍ଡା ପୁଅ ଘନକୁ ସଉଦା ଆଣିବାକୁ ବଜାରକୁ ପଠାଇଥିଲେ। ସେ ଯିବାକୁ ଆଗ୍ରହ ନ କରିବାରୁ ନିଶାସକ୍ତ ଅବସ୍ଥାରେ ଥିବା ବାପା ଚେରାଙ୍ଗ ସହିତ ତାଙ୍କର ବଚସା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ତାଙ୍କ ବାପା ଘରେ ଥିବା ଏକ ଟାଙ୍ଗିଆ ଆଣି ଘନକୁ ଆକ୍ରମଣ କରିଥିଲେ। ଟାଙ୍ଗିଆ ଚୋଟରେ ଘନ ରକ୍ତ ଜୁଡୁବୁଡୁ ହୋଇ ଚେତାଶୂନ୍ୟ ହୋଇ ପଡିଥିଲେ। ମା’ ମଞ୍ଜୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ସହାୟତାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ସୋମବାର କଟକ ଯିବା ପାଇଁ ଡାକ୍ତର କହିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇଥିଲେ ହେଁ ପରିବାର ଲୋକ ପ୍ରଥମେ ଏତଲା ଦେବାକୁ ରାଜି ହୋଇ ନ ଥିଲେ। ପରେ ସୋମବାର ତାଙ୍କର ମୃତ୍ୟୁ ହେବା ପରେ ସନ୍ଧ୍ୟାରେ ତାଙ୍କ ବଡ ପୁଅ ଏତଲା ଦେଇଥିବା ଜଣାପଡିଛି ।