Categories: ଗଞ୍ଜାମ

ମଧୁବାବୁ ଆଇନ ସହାୟତା ଯୋଜନା ବାଟବଣା

ପୁରୁଷୋତ୍ତମପୁର, ୧୮ା୭(ଡି.ଏନ୍‌.ଏ.)-ରାଜ୍ୟ ସରକାର ଗରିବ ଲୋକଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ମାତ୍ର ଏହି ଯୋଜନା ଏବେ ସରକାରୀ ଫାଇଲର ନାଲି ଫିତାତଳେ ରହିଯାଇଛି। ଯାହାକୁ ନେଇ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସମେତ ଆଇନଜୀବୀଙ୍କ ମଧ୍ୟରେ ବୀବ୍ର ଅସନ୍ତୋଷ ଦେଖା ଦେଇଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୬ରେ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ପ୍ରଣୟନ କରିଥିଲେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଇନ ସହାୟତା ଯୋଗାଇ ଦେବାକୁ ପ୍ରତି ପଞ୍ଚାୟତରେ ଜଣେ ଲେଖାଏ ଆଇନଜୀବୀଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ। ଆଇନ ବିଭାଗ ପକ୍ଷରୁ ନଂ.୧୦୭୪୬/୨୬ା୧୦ା୨୦୧୬ ଓ ୧୧୭୦୯/୨୨ା୧୧ା୨୦୧୬ରେ ସମସ୍ତ ଜିଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ। ଚିଠି ପାଇ ସମ୍ପୃକ୍ତ ଜିଲାର ଜିଲାପାଳ ବିଡିଓମାନଙ୍କୁ ଏବଂ ବିଡିଓମାନେ ଅଞ୍ଚଳରେ ଥିବା କୋର୍ଟ ଏବଂ ଓକିଲ ସଂଘମାନଙ୍କୁ ଚିଠି ମାଧ୍ୟମରେ ଜଣାଇ ପଞ୍ଚାୟତ ସ୍ତରରେ ଆଇନ ସହାୟତା ସେଲରେ ନିଯୁକ୍ତି ଲାଗି ଆବେଦନ କରିବାକୁ କହିଥିଲେ। ରାଜ୍ୟରେ ଥିବା ୩୧୪ ବ୍ଲକର ୬ହଜାର ୭୯୮ ପଞ୍ଚାୟତର ଜନସାଧାରଣଙ୍କ ସମେତ ଆଇନଜୀବୀ ଉତ୍ସାହିତ ହୋଇପଡିଥିଲେ। ଆଇନ ବିଭାଗରୁ ଚିଠି ପାଇ ଗଞ୍ଜାମର ପୂର୍ବତନ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ ଜିଲାର ସମସ୍ତ ବିଡିଓଙ୍କୁ ଚିଠି କରିଥିଲେ। ପୁରୁଷୋତ୍ତମପୁରର ତତ୍କାଳୀନ ବିଡିଓ ଲୋକନାଥ ଦଳବେହେରା ୭ ଡିସେମ୍ବର ୨୦୧୬ରେ ନଂ.୫୩୮୭ରେ ଚିଠିକରି ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାରପତି ଏବଂ ଓକିଲ ସଂଘକୁ ଜଣାଇ ଥିଲେ। ବ୍ଲକର ୨୬ ପଞ୍ଚାୟତର ଲୋକେ ଆଇନ ସହାୟତା ପାଇବାକୁ ଆଶା ରଖିଥିବା ବେଳେ ଆଇନଜୀବୀ ମଧ୍ୟ ନିଯୁକ୍ତି ଆଶାରଖିଥିଲେ। କୋର୍ଟ ମାଧ୍ୟମରେ ବ୍ଲକ ପ୍ରଶାସନ ନିକଟରେ ଆବେଦନ ମଧ୍ୟ କରିଥିଲେ। ମାତ୍ର ଆଶା ଆଶାରେ ହିଁ ରହିଯାଇଛି। ୩ବର୍ଷ ପରେ ମଧ୍ୟ କୌଣସି ପଞ୍ଚାୟତରେ ସହାୟତା କେନ୍ଦ୍ର ଖୋଲିନାହିଁ। ଆଇନଜୀବୀମାନେ ଆବେଦନ କରିଥିବା ଦରଖାସ୍ତ ସରକାରୀ ଫାଇଲ ନାଲି ଫିତାତଳେ ବନ୍ଧାହୋଇ ରହିଛି।