Categories: ରାଜ୍ୟ

ମଧୁସୂଦନଙ୍କୁ ମରଣୋତ୍ତର ଭାରତରତ୍ନ ଦାବି

ଭୁବନେଶ୍ୱର,୨୯।୪(ବ୍ୟୁରୋ)-ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମରଣୋତ୍ତର ‘ଭାରତରତ୍ନ’ ପ୍ରଦାନ କରିବାକୁ ଦାବି କରିଛନ୍ତି ଓଡ଼ିଶାର ସମସ୍ତ ଓକିଲ ସଂଘ। ମଧୁବାବୁଙ୍କ ୧୭୧ତମ ଜୟନ୍ତୀ ଅବସରରେ ରାଜ୍ୟରେ ଥିବା ସମସ୍ତ ଛୋଟବଡ଼ ଓକିଲ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ମଧୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ଦାବିରେ ଲୟର୍ସ ଗ୍ରୁପ୍‌ ପକ୍ଷରୁ ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଲକାତାରୁ ଦସ୍ତଖତ ଅଭିଯାନ ଆରମ୍ଭ ହେବା ପରେ ଆଣ୍ଡାମାନ, କର୍ନାଟକ ସମେତ ବିଭିନ୍ନ ରାଜ୍ୟ ଏବଂ ଓଡ଼ିଶାର ବିଭିନ୍ନ ଜିଲାରେ ଏହି ଅଭିଯାନ କରାଯାଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ବାର୍‌ ଆସୋସିଏଶନ ପକ୍ଷରୁ ରବିବାର ବାର୍‌ ଆସୋସିଏଶନ କାର୍ଯ୍ୟାଳୟରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ୍‌ ଯୋଗଦେଇଥିଲେ। ମଧୁବାବୁ କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ୱର ଅସ୍ମିତାର ପ୍ରତୀକ। ତାଙ୍କ କୃତିତ୍ୱ, ଅବଦାନ ପାଇଁ ସେ ଭାରତରତ୍ନ ନୁହେଁ, ବରଂ ବିଶ୍ୱରତ୍ନ ପାଇବାର ଯୋଗ୍ୟ। ଯଦି ସେଭଳି ସମ୍ମାନ ଥାଆନ୍ତା, ତା’ ହେଲେ ତାହା ବି ତାଙ୍କ ପାଇଁ ଛୋଟ ହୋଇଥାଆନ୍ତା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଯୋଗଦେଇ ମଧୁବାବୁଙ୍କର ଓଡ଼ିଶା ପ୍ରତି ରହିଥିବା ଅବଦାନ ସମ୍ପର୍କରେ କହିଥିଲେ। ଏହି ଅବସରରେ ଚଳିତବର୍ଷ ଲାଗି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କୁ ‘ମଧୁସୂଦନ ଦାସ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ଭଳି ଓଡ଼ିଶାର ସବୁ କୋର୍ଟରେ ମଧୁସୂଦନ ଦାସଙ୍କ ଫଟୋ ସ୍ଥାନିତ କରିବାକୁ ଭୁବନେଶ୍ୱର ବାର୍‌ ଆସୋସିଏଶନ ଉପସଭାପତି ଶୀଳଭଦ୍ର ଶାସ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନ ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ ଓ ସମ୍ପାଦକ ବିଶ୍ୱନାରାୟଣ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଉପସ୍ଥିତ ଆଇନଜୀବୀମାନେ ସ୍ବରଚିତ କବିତା ଆବୃତ୍ତି କରିଥିଲେ।

Share