Categories: ଗଞ୍ଜାମ

ମଧ୍ୟପ୍ରଦେଶରେ ନାବାଳିକା ବଳାତ୍କାର ମାମଲା: ଗୋଳାବନ୍ଧରୁ ଯୁବକଙ୍କୁ ଉଠାଇନେଲା ପୋଲିସ

ଗୋପାଳପୁର,୫ା୧୨-ଗତ କିଛିଦିନ ହେଲା ଦେଶରେ ବଳାତ୍କାର ବଢ଼ି ଚାଲିଛି। ପୋଲିସ ତଦନ୍ତରେ ଢିଲା ଯୋଗୁ ବିଭିନ୍ନ ସମୟରେ ଅପରାଧୀ ସହଜରେ ଖସି ଯାଉଛନ୍ତି। ମଧ୍ୟପ୍ରଦେଶରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ବୁଧବାର ସନ୍ଧ୍ୟାରେ ଗୋଳାବନ୍ଧ ଅଞ୍ଚଳରୁ ଜଣେ ଯୁବକଙ୍କୁ ପୋଲିସ ଉଠାଇ ନେଇଛି। ପ୍ରକାଶ ଯେ, ମଧ୍ୟପ୍ରଦେଶ ମଣ୍ଡଳ ଜିଲାର ମହଙ୍ଗୁୱା ଥାନା ଅଞ୍ଚଳରେ ଗତ ଅକ୍ଟୋବର ୨୪ରେ ଘରେ କେହି ନ ଥିବାବେଳେ ସେହି ଅଞ୍ଚଳର ରାକେଶ କଚ୍ଛୱା ଜଣେ ନାବାଳିକାଙ୍କୁ ବଳାତ୍କାର କରି କୌଶଳକ୍ରମେ ଓଡ଼ିଶାକୁ ଚାଲି ଆସିଥିଲେ। ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧସ୍ଥିତ ଆର୍ମି ଏଡି କଲେଜ ପରିସରରେ ରହି ସେ କିଛିଦିନ ହେଲା ଶ୍ରମିକ ଭାବେ କାମ କରୁଥିଲେ। ନାବାଳିକା ଜଣକ ମହଙ୍ଗୁୱା ଥାନାରେ ଅଭିଯୋଗ କରିବା ପରେ ନଂ. ୧୩୯/୧୯ରେ ବଳାତ୍କାର ଓ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ମୋବାଇଲ ଫୋନ ଟ୍ରାକିଂ କରି ରାକେଶ ଗୋଳାବନ୍ଧ ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲେ। ମଧ୍ୟପ୍ରଦେଶର ଏକ ସ୍ବତନ୍ତ୍ର ପୋଲିସ ଟିମ୍‌ ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଆସି ଗୋପାଳପୁର ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଗୋପାଳପୁର ପୋଲିସ ଓ ମଧ୍ୟପ୍ରଦେଶ ସ୍ବତନ୍ତ୍ର ଟିମ୍‌ ସନ୍ଧ୍ୟା ପ୍ରାୟ ୬ଟାରେ ରାକେଶଙ୍କୁ ଉଠାଇ ନେଇଥିବା ମଧ୍ୟପ୍ରଦେଶର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।