ମଧ୍ୟପ୍ରଦେଶ ଯାଉଥିବା ୨୪ ଶ୍ରମିକଙ୍କୁ ଅଟକାଇଲା ପ୍ରଶାସନ

ବୌଦ୍ଧ, ୩୦ା୩(ସ୍ବ.ପ୍ର): ଢେଙ୍କାନାଳ ଜିଲା ଭୁବନରୁ ମଧ୍ୟପ୍ରଦେଶର ଗୋଆଲିୟରକୁ ଚାଲି ଚାଲି ଯାଉଥିବା ୨୪ ଜଣ ଶ୍ରମିକଙ୍କୁ ବୌଦ୍ଧ ଜିଲା ପ୍ରଶାସନ ଅଟକାଇଛି। ଉକ୍ତ ଶ୍ରମିକମାନେ ଲକଡାଉନ ଯୋଗୁଁ କୌଣସି ଯାନବାହାନ ସୁବିଧା ନପାଇବାରୁ ଚାରିଦିନ ହେଲା ଦିନ ରାତି ଚାଲି ଚାଲି ଗୋଆଲିୟର ଅଭିମୁଖେ ବାହାରି ସୋମବାର ବୌଦ୍ଧଠାରେ ପହଞ୍ଚିଥିଲେ। ବୌଦ୍ଧ ମହାନଦୀ ବ୍ରିଜଛକ ପଥପ୍ରାନ୍ତ ସାଧନ କେନ୍ଦ୍ରଠାରେ ସେମାନେ ବିଶ୍ରାମ କରୁଥିବା ସୂଚନା ପାଇ ଜିଲା ଶ୍ରମ ଅଧିକାରୀ ଓ ମେଡିକାଲର ଏକ ଟିମ୍‌ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ପରେ ବିଜ୍ଞାପିତ ଅଞ୍ଚଳ ପରିଷଦର ରାତ୍ରିକାଳୀନ ବିଶ୍ରାମଗୃହଠାରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି।