ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାକତ୍ାର ଘଟଣାକୁ ନେଇ ରାଜ୍ୟ କଂଗ୍ରେସର ଏକ ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍ଆର୍ସି)ଙ୍କୁ ଭେଟିଛନ୍ତି। ପୂର୍ବତନ ଏମ୍ପି ପ୍ରଦୀପ ମାଝିଙ୍କ ନେତୃତ୍ୱରେ ଉକ୍ତ ଟିମ୍ କମିଶନଙ୍କୁ ଭେଟି ପୀଡିତାଙ୍କୁ ମଧ୍ୟବର୍ତ୍ତିକାଳୀନ ସହାୟତା ସହ ସୁରକ୍ଷା ଦାବି କରିଛନ୍ତି। ପୀଡିତାଙ୍କୁ ବିଭିନ୍ନ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବାରୁ ପରିବାର ଲୋକେ ଭୟ ଓ ଆଶଙ୍କାରେ ରହିଛନ୍ତି। ଆଗକୁ ପୀଡିତା ଜଣକ ଦଶମ ପରୀକ୍ଷା ଦେବାକୁ ଥିବାବେଳେ ତାଙ୍କର ସୁରକ୍ଷା ସଂକ୍ରାନ୍ତରେ କଂଗ୍ରେସ ଟିମ୍ କମିଶନକୁ ଜଣାଇଛନ୍ତି। କମିଶନ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିବା ସହ ମାମଲାର ତଦନ୍ତରେ ଶିଥିଳତାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ୧୦ମ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଜଣେ ମହିଳା ପୋଲିସ କର୍ମୀ ପୀଡିତାଙ୍କ ସହ ରହିବେ। ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ଆଇନ ଅନୁଯାୟୀ ପୀଡିତାଙ୍କୁ ମଧ୍ୟବର୍ତ୍ତିକାଳୀନ କ୍ଷତିପୂରଣ ଦେବାକୁ କମିଶନ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହ ସର୍ବଶେଷ ରିପୋର୍ଟ ୭ ଦିନ ଭିତରେ ଦାଖଲ କରିବାକୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ପ୍ରଦୀପ ମାଝି କହିଛନ୍ତି ଯେ, ପିଡ଼ୀତାଙ୍କ ପରିବାରକୁ ସୁରକ୍ଷା ଦେବା ବଡ଼ ପ୍ରଶ୍ନ ହୋଇଛି। ଓଏଚ୍ଆରସି ଏହି ମାମଲାକୁ ଗୁରୁତ୍ୱ ଦେଇ କ୍ଷତିପୂରଣ ଓ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳ ଓ ଏସ୍ପି ତଦନ୍ତ ରିପୋର୍ଟ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୧୦ ତାରିଖକୁ କମିଶନ ଧାର୍ଯ୍ୟ କରିଛନ୍ତି।