Categories: ଜାତୀୟ

ମଧ୍ୟସ୍ଥତା ବାଧ୍ୟତାମୂଳକ ହେଉ: ସିଜେଆଇ

ନୂଆଦିଲ୍ଲୀ,୯ା୨(ପି.ଟି.): କୌଣସି ମକଦ୍ଦମା ଚଳାଇବା ପୂର୍ବରୁ ଏହାର ସମାଧାନ ମଧ୍ୟସ୍ଥତା ମାଧ୍ୟମରେ କରାଇବା ଆବଶ୍ୟକ। ଏଥିପାଇଁ ବିସ୍ତୃତ ଆଇନ ଆଣିବାର ସମୟ ଆସିଛି ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଶନିବାର କହିଛନ୍ତି। ଏହାଦ୍ୱାରା ତ୍ୱରିତ ନ୍ୟାୟ ପ୍ରଦାନ କରାଯିବା ସହ ଉଭୟ ପକ୍ଷ ଏବଂ ଅଦାଲତଙ୍କ ବରବାଦ ହେଉଥିବା ସମୟକୁ ହ୍ରାସ କରାଯାଇପାରିବ। ‘ଜଗତୀକରଣ ଯୁଗରେ ମଧ୍ୟସ୍ଥତା’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ତୃତୀୟ ସଂସ୍କରଣରେ ଉଦ୍‌ବୋଧନ ଦେଇ ଜଷ୍ଟିସ୍‌ ବୋବ୍‌ଡେ କହିଥିଲେ, ଏକ ମଜଭୁତ ‘ମଧ୍ୟସ୍ଥତା ବାର୍‌’ ଭାରତରେ ଆନୁଷ୍ଠାନିକ ମଧ୍ୟସ୍ଥତା ବିକାଶ ଲାଗି ବିଚାରଯୋଗ୍ୟ। ଜ୍ଞାନ ଓ ଅଭିଜ୍ଞତା ଥିବା ଆଇନଜୀବୀମାନଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ ବୋଲି ସିଜେଆଇ କହିଥିଲେ। ଅନ୍ତର୍ଜାତୀୟ ବାଣିଜ୍ୟ, ବ୍ୟବସାୟ ଏବଂ ପୁଞ୍ଜିନିବେଶ ଭିତ୍ତିଭୂମିରେ ମଧ୍ୟସ୍ଥତା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଏହା ବିଶ୍ୱ ସମୁଦାୟ ଓ ବାଣିଜ୍ୟ ଓ ବୃହତ୍‌ ନିବେଶକମାନଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି। ବ୍ୟବସାୟିକ ଅଦାଲତ ଆଇନରେ ପ୍ରାକ୍‌ ଆନୁଷ୍ଠାନିକ ମଧ୍ୟସ୍ଥତା ଓ ସମାଧାନ ବ୍ୟବସ୍ଥା ରହିଛି। ଏହାକୁ ଅନ୍ୟ ମାମଲା କ୍ଷେତ୍ରରେ ପ୍ରୟୋଗ କଲେ ବହୁ ଲାଭ ମିଳିପାରିବ ବୋଲି ସିଜେଆଇ ମତ ଦେଇଛନ୍ତି।

Share