Categories: ଅନୁଗୋଳ

ମଧ୍ୟାହ୍ନଭୋଜନ ଖାଇ ୧୯ ଅସୁସ୍ଥ, ୨ ଗୁରୁତର

ତାଳଚେର,୧୩।୭(ନି.ପ୍ର.) : ମଧ୍ୟାହ୍ନଭୋଜନ ଖାଇ ଶନିବାର ପରଜଙ୍ଗ ବ୍ଲକ କଳେଇ ୟୁପିସ୍କୁଲର ୧୯ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ଚିକିତ୍ସା ପାଇଁ ସମସ୍ତଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବେ ୨ ଜଣ ଡାକ୍ତରଖାନାରେ ଚିକିସତ୍ାଧୀନ ଥିବାବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି। ଉକ୍ତ ସ୍କୁଲରେ ୭୦ ଜଣ ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଶନିବାର ଥିବାରୁ ପୂର୍ବାହ୍ନ ୧୦ଟା ବେଳେ ସମସ୍ତ ପିଲା ମଧ୍ୟାହ୍ନଭୋଜନ ଖାଇଥିଲେ। କିଛି ସମୟ ପରେ ସ୍କୁଲ ଛୁଟି ହୋଇଥିଲା। ପିଲାମାନେ ଘରକୁ ଯିବା ବେଳେ ବାଟରେ ୬ଷ୍ଠ ଶ୍ରେଣୀ ଛାତ୍ରୀ ସିବାସିନି ଭୂତିଆ ରାସ୍ତାରେ ପଡ଼ିଯାଇଥିଲେ। ଖବର ପାଇ  ପରିବାର ଲୋକେ ପହଞ୍ଚି ତାଙ୍କୁ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେହିପରି ୭ମ ଶ୍ରେଣୀ ଛାତ୍ରୀ ସାହିଲି ଭୂତିଆଙ୍କ ପେଟ ବ୍ୟଥା ଓ ମୁଣ୍ଡ ବୁଲାଇବାରୁ ତାଙ୍କୁ ମଧ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ପରେ କାଜଲ ଜେନା, ଲିବ୍ରା ଜେନା, ଋଷି ଜେନା, ସାଲିନା ଜେନା, ସାଗରି ଜେନା, ଉପତ୍ଳ ଜେନା,ସାଲଇନା ଖଟୁଆ, ଲକ୍ଷ୍ମୀଶ୍ରୀ ମହାଭୋଇ, ପାଏଲ ଖଟୁଆ, ସୁପ୍ରିୟା ମାକତା,ସୋହମ ମହାଭୋଇ, ସୁନୀଲ ଭୂତିଆ, ରୁଦ୍ର ଜେନାଙ୍କ ସମେତ ୧୯ ଜଣ ଛାତ୍ରୀଛାତ୍ର ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ବେହେରା କୁହନ୍ତି, ଭାତରେ ବୁଢ଼ିଆଣି ପଡ଼ିଥିବାରୁ ଏଭଳି ଘଟିଲା। ଖବର ପାଇ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା ଡାକ୍ତରଖାନାକୁ ଆସି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ତାଳଚେର ପୋଲିସ ମଧ୍ୟ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।