ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ

ଠାକୁରମୁଣ୍ଡା,୨୩ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷଦା ଗ୍ରାମରେ ଥିବା ମା’ ଅମ୍ବିକା ଏଲ.ଏମ.ବାଳିକା ଉଚ୍ଚ ବିଦ୍ୟାଳୟରେ ରବିବାର ମଧ୍ୟାହ୍ନଭୋଜନ ଖାଇ ୨୦ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ।
ବିଦ୍ୟାଳୟର ହଷ୍ଟେଲରେ ଥିବା ୫୪ ଛାତ୍ରୀଙ୍କ ନିମନ୍ତେ ରବିବାର ମଧ୍ୟାହ୍ନଭୋଜନରେ ଭାତ, ଡାଲି, ମଟର ତରକାରୀ, ସଜନା ଶାଗ ରୋଷେଇ ହୋଇଥିଲା। ଏହା ଖାଇବାର କିଛି ସମୟ ପରେ କେତେକ ଛାତ୍ରୀ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ହଷ୍ଟେଲ ପରିଚାଳିକା ସେମାନଙ୍କ ମଧ୍ୟରୁ ୨୦ ଜଣ ଛାତ୍ରୀଙ୍କୁ ଚିକିତ୍ସା ଲାଗି କରଞ୍ଜିଆ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଏପରି ହୋଇଛି ବୋଲି ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ କ୍ଷେତ୍ରବାସୀ ଦାସ କହିଛନ୍ତି। ଖବର ପାଇ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାୟକ ମେଡ଼ିକାଲରେ ପହଞ୍ଚି ଛାତ୍ରୀମାନଙ୍କ ଅବସ୍ଥା ପଚାରି ବୁଝିଛନ୍ତି ।

Share