ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ଘଟଣା: କାରଣ ଅସ୍ପଷ୍ଟ

ଚିତ୍ରକୋଣ୍ଡା,୨୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଟେମ୍ପରାରି କଲୋନୀ ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ସୋମବାର ମଧ୍ୟାହ୍ନଭୋଜନ ଖାଇ ୩୩ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ମଧ୍ୟାହ୍ନଭୋଜନରେ ଭାତ, ଡାଲି ଓ ଭଜା ଖାଇବା ପରେ ଅପରାହ୍ନରେ କିଛି ଛାତ୍ରୀଙ୍କ ପେଟବ୍ୟଥା ଓ ଝାଡ଼ା ହୋଇଥିଲା। ମଙ୍ଗଳବାର ପର୍ଯ୍ୟନ୍ତ ଏହାର କାରଣ ଜଣାପଡ଼ି ନାହିଁ।

ପ୍ରକାଶ ଯେ, ବିଦ୍ୟାଳୟର ୧୫୦ ଛାତ୍ରୀଛାତ୍ର ଗୋଟିଏ ପ୍ରକାର ଖାଦ୍ୟ ଖାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୩୩ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏହା ଜଣାପଡ଼ିବା ପରେ ଅସୁସ୍ଥ ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସୁସ୍ଥ ଛାତ୍ରୀଙ୍କ ଚିକିତ୍ସା କରାଯାଉଛି। ଏ ନେଇ ଚିତ୍ରକୋଣ୍ଡା ମେଡିକାଲ ଅଫିସର କୁହନ୍ତି, ରକ୍ତ, ମଳପରୀକ୍ଷା ବିନା କିଛି କହି ହେବ ନାହିଁ। ତେବେ ବର୍ତ୍ତମାନ ସମସ୍ତ ଛାତ୍ରୀ ଭଲ ଅଛନ୍ତି। ମେଡିକାଲରେ ଆସି ପହଞ୍ଚିବାଠାରୁ କାହାର ବି ଥରେ ହେଲେ ଝାଡା ହୋଇ ନ ଥିବା ସେ କହିଛନ୍ତି। ତେବେ ମଧ୍ୟାହ୍ନଭୋଜନ ୧୫୦ ଛାତ୍ରୀଛାତ୍ର ଖାଇଥିବା ବେଳେ କେବଳ ୩୩ ଛାତ୍ରୀ ଝାଡ଼ାର ଶିକାର ହୋଇଛନ୍ତି। ତେଣୁ ଏହାର କାରଣ ଅସ୍ପଷ୍ଟ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

Share