ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ

ରେମୁଣା, ୨୩।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ଜଙ୍ଖରାଇ-ଚଷାଖଣ୍ଡ ନୋଡ଼ାଲ (ମଇ) ସ୍କୁଲରେ ମଙ୍ଗଳବାର ପିଲାମାନଙ୍କୁ ଦିଆଯାଇଥିବା ମଧ୍ୟାହ୍ନଭୋଜନ ଖାଦ୍ୟରେ ପୋକ ବାହାରିବା ପରେ ଉତ୍ତେଜନା ଦେଖାଦେଇଥିଲା। ବିଭାଗୀୟ ଅଧିକାରୀମାନେ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସୋୟା ବଡ଼ିରେ ପୋକ ଦେଖି ଅଧିକାରୀମାନେ ବିରକ୍ତି ପ୍ରକାଶ କରିବା ସହ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ତାଗିଦ୍‌ କରିଥିଲେ। ଏହାପରେ ଖାଦ୍ୟ ଯୋଗାଉଥିବା ଏସ୍‌ଏଚ୍‌ଜିକୁ କାର୍ଯ୍ୟରୁ ବାରଣ କରାଯାଇଛି।
ରେମୁଣା ବିଧାୟକ କୌଣସି କାମରେ ଚଷାଖଣ୍ଡ ଯାଇଥିବା ବେଳେ ପିଲାଙ୍କ ଖାଦ୍ୟ ଥାଳି ନିରୀକ୍ଷଣ କରିଥିଲେ। ପିଲାଙ୍କୁ ଦିଆଯାଉଥିବା ସୋୟା ବଡ଼ିରେ ପୋକ ଥିବା ଜଣାପଡ଼ିଥିଲା। ଏଥିରେ ସେ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଡିପିସି ସୁରେନ୍ଦ୍ର ପ୍ରସାଦ ଶଙ୍ଖୁଆ, ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ପ୍ରାଚୀତନୟା ଗିରି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନମିତା ସାମଲ ପ୍ରମୁଖ ସ୍କୁଲରେ ପହଞ୍ଚିଥିଲେ। ତରକାରୀରେ ପୋକ ଦେଖି ସେ ପଦକ୍ଷେପ ଗ୍ରହଣ କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବହିଷ୍କାର ସମ୍ପର୍କରେ ସେମାନେ ଜିଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ଏସ୍‌ଏଚ୍‌ଜିର ସଦସ୍ୟାମାନେ ଏକ୍ସପାଏରୀ ତାରିଖ ନ ପଢ଼ି ତାହା କିଣିଥିବା ସଫେଇ ଦେଇଛନ୍ତି।