ମଧ୍ୟାହ୍ନଭୋଜନ ଡାଲମାରେ ବାହାରିଲା ବିଛା: ବିଇଓଙ୍କୁ ଭେଟିଲେ ଉତ୍ତ୍ୟକ୍ତ ଅଭିଭାବକ

ହିଞ୍ଜିଳିକାଟୁ,୭ା୧(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ସାରୁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ସ୍କୁଲ ଛାତ୍ରୀଛାତ୍ରଙ୍କୁ ଦିଆଯାଇଥିବା ଖାଦ୍ୟରେ ବିଛା ବାହାରଥିବା ଅଭିଯୋଗ ହୋଇଛି। ସ୍କୁଲର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କୁ ଡାଲମା ପରଷା ଯିବାବେଳେ ସେଥିରୁ ବିଛା ବାହାରିଥିଲା। ଫଳରେ ଉକ୍ତ ଖାଦ୍ୟ ଛାତ୍ରୀଛାତ୍ରଙ୍କୁ ପ୍ରଦାନ କରା ନ ଯାଇ ବିସ୍କୁଟ ଦିଆଯାଇଥିଲା। ସ୍କୁଲ ପକ୍ଷରୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଇଥିଲା। କିନ୍ତୁ ଛାତ୍ରୀଛାତ୍ର ଘରକୁ ଫେରି ଅଭିଭାବକଙ୍କୁ ଜଣାଇବାପରେ ବହୁ ଅଭିଭାବକ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ମହାରଣାଙ୍କ ନେତୃତ୍ୱରେ ମଙ୍ଗଳବାର ବିଇଓ ବସନ୍ତ କୁମାର ପଣ୍ଡାଙ୍କୁ ତାଙ୍କ ଅଫିସରେ ଭେଟି ଆଲୋଚନା କରିବା ସହ ସ୍କୁଲରେ ବିଭିନ୍ନ ଅସଙ୍ଗତି ନେଇ ଆପତ୍ତି ଉଠାଇଥିଲେ। ସ୍କୁଲ କମିଟିର ପୁର୍ନଗଠନ ସହ ଶୈକ୍ଷିକ ବାତାବରଣ ପାଇଁ ଅଭିଭାବକମାନେ ଦାବି କରିଥିଲେ। ବିଇଓଙ୍କ ସହ ଆଲୋଚନାବେଳେ ସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ବେହେରା, ମାନା ଟ୍ରଷ୍ଟ ପରିଚାଳକ ସୁନିଲ ବାରାକୋଡା, ଅଭିଭାବକ ସୀମାଞ୍ଚଳ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, କାଳୁ ଚରଣ ପାତ୍ର, ଶିବ ଶଙ୍କର ମହାରଣା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ମାନ୍ନା ଟ୍ରଷ୍ଟ ପକ୍ଷରୁ ଏହି ଖାଦ୍ୟ ଆସିଥିବାବେଳେ ରୋଷେଇ ଘରେ ଖାଦ୍ୟରେ ବିଛା ପଡିବା ଘଟଣାକୁ ଟ୍ରଷ୍ଟ କର୍ତ୍ତୃପକ୍ଷ ଅସ୍ବୀକାର କରିଛନ୍ତି। ତେବେ ଭବିଷ୍ୟତରେ ଖାଦ୍ୟ ପରଷିବାବେଳେ ସତର୍କତା ଅବଲମ୍ବନ କରିବାକୁ ବିଇଓ ପଣ୍ଡା କହିଥିଲେ। ତୁରନ୍ତ ଉତ୍ତମ ମାନର ଖାଦ୍ୟ ଯୋଗାଣ ସହ ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ କରିବାକୁ ଅଭିଭାବକ ଚେତାବନୀ ଦେଇଥିଲେ।

Share