ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣା : ତଦନ୍ତ ରିପୋର୍ଟ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ

ବଡ଼ସାହି,୧୭ା୯(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ଉଠାଣୀ ନୂଆଗାଁ ନୋଡାଲ ଉପ୍ରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ତରକାରୀରେ ପୋକ ବାହାରିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ା ନିମ୍ନମାନର ପୋଷାକ, ଜୋତା ଓ ଦାୟିତ୍ୱହୀନତା ପାଇଁ ଗ୍ରାମବାସୀମାନେ ସୋମବାର ଏକତ୍ରିିତ ହୋଇ ତଦନ୍ତକାରୀ ଅଫିସରଙ୍କ ନିକଟରେ ଅଭିଯୋଗ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି ନ କରିବା ପର୍ଯ୍ୟନ୍ତ ତଦନ୍ତକାରୀ ଅଫିସରଙ୍କୁ ଛଡାଯିବ ନାହିଁ ବୋଲି ଲୋକେ ଅଡି ବସିଥିଲେ। ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀ ସାବିନୀ ସିଂଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ା ସେହି ସ୍ଥାନରେ ମଧୁଛନ୍ଦା ପାଣିଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିବା ଏବିଇଓ ପଦ୍ମଲୋଚନ ଦାସ ପ୍ରକାଶ କରିଛନ୍ତି ା
ଶୁକ୍ରବାର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ହେବା ପରେ ସୟାବଡି ତରକାରୀରେ ପୋକ ଦେଖି ଉପସ୍ଥିତ ଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅଳ୍ପ କେତେକ ଭୋଜନ ନ କରି ପରିବାର ଲୋକଙ୍କୁ ଜଣାଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ଶନିବାର ଅଭିଭାବକମାନେ ସ୍କୁଲରେ ପହଞ୍ଚି ତରକାରୀ ଦେଖିଥିଲେ ା ଏଥିରେ ପୋକ ମରି ଭାସୁଥିବା ଦେଖି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ଅଭିଭାବକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ଅଭିଭାବକ ଓ ଗ୍ରାମବାସୀ ସମସ୍ୟା ସମ୍ପର୍କରେ ସିଆରସିସି ଓ ଏବିଇଓଙ୍କୁ ଜଣାଇଥିଲେ ା ସୋମବାର ଏବିଇଓ ଶ୍ରୀ ଦାସ, ଏବିଇଓ ସୋମନାଥ ଦାସ ଓ ସିଆରସିସି କୋମଳ ଲୋଚନ ସେଠୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ଶତାଧିକ ଗ୍ରାମବାସୀ ଓ ଅଭିଭାବକ ସେଠାରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍କୁଲକୁ ଆସିଥିବା ପୋଷାକ ଓ ଜୋତା ଅତି ନିମ୍ନମାନର ବୋଲି ଅଭିଯୋଗ କରିଥିଲେ। ନିମ୍ନମାନର ପୋଷାକ ଓ ଜୋତାକୁ ଦେଖାଇ ବିକ୍ଷୋଭ କରିବା ସହ ସେଗୁଡିକୁ ଉତ୍ତ୍ୟକ୍ତ ଅଭିଭାବକମାନେ ବାହାରକୁ ଫିଙ୍ଗି ଦେଇଥିଲେ। ଏ ସମସ୍ତ ଅନିୟମିତତା ଓ ଦାୟିତ୍ୱହୀନତାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ଗ୍ରାମବାସୀ ଅଡ଼ି ବସିଥିଲେ। ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ତଦନ୍ତରେ ଆସିଥିବା ଅଧିକାରୀଙ୍କୁ ଛଡାଯିବ ନାହିଁ ବୋଲି ଗ୍ରାମର ବିନୋଦ ବେହେରା, ଜଗବିହାରୀ ସେଠୀ, ମନୋହର ସେଠୀ, ଶ୍ରୀନାଥ ସାହୁ, ବୀର ସାହୁ, ହରିହର ବେହେରା, ନାରାୟଣ ପୃଷ୍ଟି, ଶ୍ରୀକାନ୍ତ ବେହେରା ପ୍ରମୁଖ ଜିଦରେ ଅଟଳ ରହିଥିଲେ ା ଉପାୟ ନପାଇ ବଡ଼ସାହି ବିଇଓ ଦେବବ୍ରତ ବାରିକ ଚିଠି ନଂ. ୧୧୭୧/୧୬ା୯ା୨୦୧୯ରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜନ କଲ୍ୟାଣ ନୋଡାଲ ୟୁପି ସ୍କୁଲକୁ ବଦଳି କରିଛନ୍ତି ା ତାଙ୍କ ସ୍ଥାନରେ ସୋରିଷକୋଠା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ପାଣିଙ୍କୁ ଚିଠି ନଂ. ୧୧୭୫/୧୬ା୯ା୨୦୧୯ରେ ଉଠାଣୀନୂଆଗାଁ ସ୍କୁଲରେ ଅବସ୍ଥାପିତ କରାଯାଇଛି ା ଦୀର୍ଘ ଦିନ ଧରି ସ୍କୁଲ ପରିଚାଳନା କମିଟି ଗଠନ ହୋଇ ନ ଥିବା ବେଳେ ଏହାକୁ ବୁଧବାର ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ା

Share