ମଧ୍ୟାହ୍ନଭୋଜନ ପାଚିକା ସଂଘର ବିକ୍ଷୋଭ

ବାରିପଦା ଅଫିସ,୧୮ା୧୨- ମଧ୍ୟାହ୍ନଭୋଜନ ପାଚିକା ସଂଘର କର୍ମକର୍ତ୍ତାମାନେ ମଙ୍ଗଳବାର ୭ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିଆଇଟିୟୁ ଜିଲା ସାଧାରଣ ସମ୍ପାଦକ ଅମଲ ଦେଙ୍କ ନେତୃତ୍ୱରେ ଶତାଧିକ ପାଚିକା ବାରିପଦା ରେଳ ଷ୍ଟେଶନରୁ ଏକ ରାଲିରେ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ସେଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୨ ମାସର ଦରମା ସହ ଶିକ୍ଷା ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା, ନୂ୍ୟନତମ ମାସିକ ଦରମା ଓ ପେନ୍‌ସନ ପ୍ରଦାନ, ୪୫ତମ ଶ୍ରମ ସମ୍ମିଳନୀରେ ପ୍ରସ୍ତାବ ଲାଗୁ କରିବା, ମଧ୍ୟାହ୍ନଭୋଜନର ଘରୋଇକରଣ ବନ୍ଦ କରିବା, ଛଟେଇ ହୋଇଥିବା ସମସ୍ତ ପାଚିକାଙ୍କୁ ପୁନଃ ଥଇଥାନ, ନୂଆ ଶ୍ରମ ଆଇନକୁ ବାତିଲ କରି ପୁରୁଣା ଆଇନକୁ କାର୍ଯ୍ୟକାରୀ କରିବା, ଶାଢ଼ି, ରନ୍ଧନ ଗ୍ୟାସ, ଉନ୍ନତମାନର ଖାଦ୍ୟ ଓ ଛାତ୍ର ସଂଖ୍ୟା ଅନୁଯାୟୀ ନୂଆ ପାଚିକା ନିଯୁକ୍ତି ଆଦି ଦାବି ଉପସ୍ଥାପନା କରାଯାଇଥିଲା। ପରେ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିକର୍ତ୍ତନ କବି, ରାପସୀ ପ୍ରହରାଜ, ସିଆଇଟିୟୁ ଜିଲା ସଭାପତି ରବି ଗୋସ୍ବାମୀ, ପାଚିକା ସଂଘର କ୍ଷୀରମଣି ମହାନ୍ତ, ସନ୍ଧ୍ୟା ବେହେରା, କୁଲତା ମହାନ୍ତ, ମାଳତୀ ମହାନ୍ତ, ଜୟନ୍ତୀ ସିଂ, ରଞ୍ଜିତା ରାଉତ ପ୍ରମୁଖଙ୍କ ସମେତ ଅନ୍ୟମାନେ ଏହି ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ।