ମଧ୍ୟାହ୍ନଭୋଜନ ସଂକ୍ରାନ୍ତରେ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା(କୋଭିଡ-୧୯) ଭୂତାଣୁ ଯେପରି ସଂକ୍ରମଣ ନ ହେବ ପ୍ରତିକାର ସ୍ବରୂପ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ମିଳୁ ନାହିଁ। ବନ୍ଦ ହୋଇଥିବା ସ୍କୁଲଗୁଡିକର ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଯୋଗାଇ ଦେବାକୁ ରାଜ୍ୟ ସରକାର କି ବ୍ୟବସ୍ଥା କରିଛନ୍ତି, ସେ ନେଇ ଆସନ୍ତା ସପ୍ତାହକ ମଧ୍ୟରେ ଜଣାଇବାକୁ ସୁପ୍ରିମକୋର୍ଟ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜଆଡୁ ପିଲାମାନଙ୍କ ମଧ୍ୟାହ୍ନଭୋଜନ ମାମଲା ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ମାମଲା ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ସୁପ୍ରିମକୋର୍ଟଙ୍କ ନୋଟିସ ଗ୍ରହଣ କରିବା ସହ ଆସନ୍ତା ସପ୍ତାହରେ ଏ ନେଇ ଜବାବ ଦାଖଲ କରିବେ ବୋଲି ଜଣାପଡିଛି। ଏହି ରୋଗ ଯେପରି ନ ବ୍ୟାପିବ ସେ ନେଇ ରାଜ୍ୟ ସରକାର ସମସ୍ତ ସ୍କୁଲକୁ ମାର୍ଚ୍ଚ ୩୧ ତାରିଖ ଯାଏ ବନ୍ଦ ଘୋଷଣା କରିଛନ୍ତି। କେରଳ ସରକାର ମଧ୍ୟାହ୍ନଭୋଜନ ପିଲାମାନଙ୍କ ଘରେ ଦେବାର ବ୍ୟବସ୍ଥା କରିଛନ୍ତି। ଗରିବ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଜରିଆରେ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ସ୍କୁଲ ବନ୍ଦ ସତ୍ତ୍ୱେ ମଧ୍ୟାହ୍ନ ଭୋଜନ ଘରେ ଯୋଗାଇ ଦିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘୋଷଣା କରିଛନ୍ତି।

Share