ମଧ୍ୟାହ୍ନ ଭୋଜନରେ ଦିଆଯିବ ଦୁଗ୍ଧଜାତ ଦ୍ରବ୍ୟ

ଭୁବନେଶ୍ୱର, ୧୧-୯(ବ୍ୟୁରୋ):ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବିଗତ ବର୍ଷଗୁଡ଼ିକରେ କ୍ରମାଗତ ଭାବରେ ବୃଦ୍ଧି ପାଇଛି। ଅଧିକରୁ ଅଧିକ ଲୋକ ଦୁଗ୍ଧ ଚାଷକୁ ଆପଣେଇଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଉଥିବାବେଳେ ଏହାର ଠିକ୍‌ ବିକ୍ରିବଟା ଏବଂ ଖାଉଟିମାନଙ୍କୁ ଉନ୍ନତ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ୧୫ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା କୃଷିଭବନଠାରେ ଆୟୋଜିତ ‘ଗୋସମ୍ପଦର ବିକାଶରେ ଉଦ୍ୟୋଗୀମାନଙ୍କ ଭୂମିକା’ ଶୀର୍ଷକ କର୍ମଶାଳାରେ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଗୋପାଳନ ରାଜ୍ୟ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ଉପାଦାନ। କୃଷକମାନଙ୍କ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ନିମନ୍ତେ ପ୍ରାଣୀପାଳନ ବିଶେଷ କରି ଗୋପାଳନ ଏକାନ୍ତ ଆବଶ୍ୟକ। ତେଣୁ ଗୋପାଳନର ବିକାଶ ନିମନ୍ତେ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି।
ସେପଟେ ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦର ବୃଦ୍ଧି କରିଛନ୍ତି। କର୍ମଶାଳାରେ ବିଭିନ୍ନ ଜିଲାର ଚାଷୀମାନେ ଦୁଗ୍ଧ ଦର ବଢ଼ାଇବା ପାଇଁ ଜୋର ଦେଇଥିଲେ। ବିଶେଷକରି କୋରୁପୁଟ, ପୁରୀ, ମାଲକାନଗିରି ଭଳି ଜିଲାର ଚାଷୀମାନେ ଜୋରଦାର ଦାବି ଉଠାଇଥିଲେ। ଖର୍ଚ୍ଚ ଅନୁସାରେ ଆୟ ହେଉନାହିଁ ବୋଲି ଚାଷୀମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏନେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି। ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ ହେବ ବୋଲି ଅରୁଣ ସାହୁ କହିଛନ୍ତି।
ଅନ୍ୟପକ୍ଷରେ ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବାକୁ ସରକାର ଯୋଜନା କରୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। କର୍ମଶାଳାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦ୍‌ଘାଟକ ଭାବେ ଯୋଗଦେଇ କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନରେ ଦୁଗ୍ଧଜାତ ଦ୍ରବ୍ୟ ଦେବା ପ୍ରସ୍ତାବକୁ ନେଇ ସରକାର ତର୍ଜମା କରୁଛନ୍ତି। ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ। ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ।
ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ଦୁଗ୍ଧ ଚାଷୀମାନେ ଦୁଗ୍ଧଚାଷ କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା, ଅସୁବିଧା ଓ ଦୁଗ୍ଧର କ୍ରୟମୂଲ୍ୟ ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ। କର୍ମଶାଳା ଅବସରରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ ଯୋଗଦେଇ ବିଭାଗ ପକ୍ଷରୁ ଗୋସମ୍ପଦର ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଶାଳା ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରତ୍ନାକର ରାଉତ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିବାବେଳେ ଓମ୍‌ଫେଡ୍‌୍‌ର ସାଧାରଣ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ।

Share