ମଧ୍ୟାହ୍ନ ଭୋଜନ ଖାଇ ୨୨ ଛାତ୍ରୀଛାତ୍ର ଅସୁସ୍ଥ

ସମ୍ବଲପୁର/କୁଚିଣ୍ଡା,୧୬।୯ (ବ୍ୟୁରୋ/ଡି.ଏନ.ଏ.):ସମ୍ବଲପୁର ଜିଲା ବାମରା ବ୍ଲକ ଜରାବଗା ଗ୍ରାମ ପଞ୍ଚାୟତ ଚାଲଟିକ୍ରା ପ୍ରାଥମିକ ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ୨୨ ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ କୁଚିଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ସୋରିନ (୭), ସରୋଜ ଶବରା (୫), ଗାୟିତ୍ରୀ ମାଝୀ (୭), ପ୍ରୀତି ଧନୁର୍ଯ୍ୟୟ (୯) ଓ ଶ୍ରୀକାନ୍ତ ସୁନାତୀ (୫) ଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ସେମାନେ କୁଚିଣ୍ଡା ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ୧୭ ଜଣ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି । ଏସ୍‌ଡିଏମଓ ଦାୟିତ୍ୱରେ ଥିବା ଡା. କ୍ଷେତ୍ରମୋହନ କାଣ୍ଡଙ୍କୁ ନେଇ ଏକ ଡାକ୍ତରୀ ଦଳ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ଚିକିତ୍ସା କରିଥିଲେ। ଖବର ପାଇ ସ୍ଥାନୀୟ ବିଧାୟକ କିଶୋର ନାଏକ, ସରକାରୀ ଓକିଲ ରବୀନ୍ଦ୍ର ନାୟକ ଡାକ୍ତରଖାନାରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ସେହିପରି ଉପଜିଲାପାଳ ବିଶ୍ୱରଞ୍ଜନ ନାଏକ ସ୍କୁଲ ପରିଦର୍ଶନ କରି ଖାଦ୍ୟରମାନକୁ ଦେଖିଥିଲେ । ପରେ ମେଡିକାଲ ଆସି ପିଲାମାନଙ୍କୁ ଭେଟିଥିଲେ । ଏହି ଘଟଣାର ତଦନ୍ତ କରି ଚୁଡାନ୍ତ ରିପୋର୍ଟ ଦେବକୁ ସେ ବାମରା ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ସତ୍ୟନାରାୟଣ ପୂଜା ପ୍ରସାଦ ଖାଇବାରୁ ଏଭଳି ହୋଇଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।ଏଣୁ ଡାକ୍ତରୀ ରିପୋର୍ଟ ଆସିଲା ପରେ ସତ୍ୟସତ୍ୟ ସାମନାକୁ ଆସିବ।
ସୋମବାର ପ୍ରାୟ ୧ଟା ସମୟରେ ପିଲାମାନେ ମଧ୍ୟାହ୍ନ ଭୋଜନରେ ଭାତ ଡାଲମା ଖାଇଥିଲେ। ଏହାର କିଛି ସମୟ ପରେ ପ୍ରାୟ ୨ଟାରେ ପ୍ରଥମେ ୨ ଜଣ ଛାତ୍ରଙ୍କୁ ଝାଡାବାନ୍ତି ହୋଇଥିଲା । ପରେ ୫/୭ ଜଣ ଅସୁସ୍ଥ ହୋଇ ପଡିଥିଲେ । ପ୍ରାୟ ଅଧ୍ୟଘଣ୍ଟା ସମୟ ଭିତରେ ସଂଖ୍ୟା ବଢି ୨୨ରେ ପହଞ୍ଚିଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାଣି ଏକ ଗାଡିରେ ପ୍ରଥମେ କେଶେଇ ବାହାଲ ପ୍ରାଥମିକ ସ୍ବାସ୍ଥକେନ୍ଦ୍ରକୁ ପିଲାଙ୍କୁ ନେଇଥିଲେ । ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ଛାତ୍ରୀଛାତ୍ରଙ୍କୁ ନେଇ କୁଚିଣ୍ଡା ମେଡିକାଲକୁ ନିଆଯାଇଥିଲା। ଖବର ପାଇ ମେଡିକାଲ ପରିସରରେ ଅଭିଭାବକ ଓ ଜନସାଧାରଣଙ୍କ ଭିଡ ଜମି ଥିଲା।

Share