ମଧ୍ୟାହ୍ନ ଭୋଜନ ଖାଦ୍ୟରୁ ବାହାରିଲା ଝିଟିପିଟି: ଭୟରେ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ,୧୭।୧୦- ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ପାଳବାଲେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଅଣ୍ଡା ତରକାରିରୁ ଏକ ମଲା ଝିଟିପିଟି ବାହାରିଥିଲା। ଏହାପୂର୍ବରୁ କେତେକ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇ ସାରିଥିଲେ। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ଆଶଙ୍କାରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆମ୍ବୁଲାନ୍ସ ମଗାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ୧୮ ଜଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତର ସେମାନଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ଖରାପ ନ ଥିବାର କହିବରୁ ସମସ୍ତଙ୍କୁ ନେଇ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ଫେରିଥିଲେ।