ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ଚକୋଲେଟ୍‌

ଆରଡି, ୨୦ା୧୧(ଡି.ଏନ.ଏ.)-ଗତ ଶିଶୁ ଦିବସ ଉତ୍ସବ ପାଳନ ବେଳେ ଭଦ୍ରକ ଜିଲା ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ତଳଦୁମୁକା ଉନ୍ନୀତ ଉପ୍ରା ବିଦ୍ୟାଳୟରେ ପିଲାଙ୍କୁ ମଧ୍ୟାହ୍ଣ ଭୋଜନ ଦିଆ ନ ଯାଇ କେବଳ ଚକୋଲେଟ ବଣ୍ଟା ଯାଇଥିଲା। କିନ୍ତୁ ଶିକ୍ଷାନୁଷ୍ଠାନ ପକ୍ଷରୁ ପିଲାଙ୍କୁ ମଧ୍ୟାହ୍ଣ ଭୋଜନ ଦିଆଯାଇଥିବାର ଅନ୍‌ଲାଇନ ଯୋଗେ ବ୍ଲକ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥିଲା। ସେଦିନ ବିଦ୍ୟାଳୟରେ ୧୬୨ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ମଧ୍ୟ ଏଥିରେ ଦର୍ଶାଯାଇଥିଲା। ଏହି ଘଟଣା ଜଣାପଡିବା ପରେ ମଙ୍ଗଳବାର ଗ୍ରାମର ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ବିଦ୍ୟାଳୟକୁ ଆସି ପ୍ରଧାନ ଶିକ୍ଷକଙ୍କୁ ଘେରିଥିଲେ ା ୨ ମାସ ହେବ ଏହି ବିଦ୍ୟାଳୟକୁ ରୋଷେଇ ବାବଦରେ ଅର୍ଥରାଶି ମିଳି ନ ଥିବା ଓ ଅନ୍ୟାନ୍ୟ ଅସୁବିଧା ରହିଥିବା ଅଭିଭାବକମାନଙ୍କୁ କୁହାଯାଇଥିଲା। ମଧ୍ୟାହ୍ଣ ଭୋଜନ ରୋଷେଇ ନ କରି ଏ ସଂକ୍ରାନ୍ତ ଭୁଲ ତଥ୍ୟ ଅନଲାଇନ ଯୋଗେ ବ୍ଲକ କାର୍ଯ୍ୟାଳୟକୁ କାହିଁକି ଅବଗତ କରାଗଲା ବୋଲି ଅଭିଭାବକମାନେ ପ୍ରଶ୍ନ କରି କୌଣସି ଉତ୍ତର ପାଇ ନ ଥିଲେ। ଏ ସମ୍ପର୍କରେ ସେମାନେ ତିହିଡି ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି। ସେହିପରି ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଓ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଥିଲେ ା ଏ ସମ୍ପର୍କରେ ତିହିଡି ବ୍ଲକ ଶିକ୍ଷାଧିକାରୀ ଉଦୟ ନାରାୟଣ ଦାଶଙ୍କୁ ପଚାରିିବାରୁ ସେ କହିଲେ, ପିଲାଙ୍କୁ ମଧ୍ୟାହ୍ଣ ଭୋଜନ ନ ଦେଇ ବ୍ଲକ କାର୍ଯ୍ୟାଳୟକୁ ଭୁଲ ତଥ୍ୟ ଦିଆଯିବା ଠିକ୍‌ ନୁହେଁ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share