ମନଇଚ୍ଛା ଫି’ ବୃଦ୍ଧି: ୩ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୩୦।୫(ବ୍ୟୁରୋ): ରାଜ୍ୟ ସରକାର ପୁଣି ୩ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ମନଇଚ୍ଛା ଫି’ ବୃଦ୍ଧିକୁ ନେଇ ବକ୍ସି ଜଗବନ୍ଧୁ ଇଂରାଜୀ ବିଦ୍ୟାଳୟ, ନାରାୟଣ ଇଂରାଜୀ ବିଦ୍ୟାଳୟ ଓ ଗାଇଡାଏନ୍ସ ଇଂରାଜୀ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ୍‌ କରାଯାଇଛି। ଉକ୍ତ ବିଦ୍ୟାଳୟ ଅଭିଭାବକ ସଂଘମାନଙ୍କ ଅଭିଯୋଗ ଆଧାରରେ ଏହା କରାଯାଇଥିବା ଜଣାପଡ଼ିଛି।

ନାରାୟଣ ଇଂରାଜୀ ବିଦ୍ୟାଳୟ ୩୦% ରୁ ୫୦% ଫି’ ବୃଦ୍ଧି କରିଥିବା ବେଳେ ବକ୍ସି ଜଗବନ୍ଧୁ ବିଦ୍ୟାଳୟ ୧୦.୭୩% ରୁ ୧୪.୫୬% ଫି’ ବୃଦ୍ଧି କରିଛି। ସେହିଭଳି ଗାଇଡାଏନ୍ସ ବିଦ୍ୟାଳୟ ମଧ୍ୟ ୧୮% ଅଧିକ ଫି’ ବୃଦ୍ଧି କରିଛି। ମାତ୍ର ସରକାରଙ୍କ ଦ୍ୱାରା ଗଠିତ ଏଫ୍‌ଆର୍‌ସି କମିଟି ରିପୋର୍ଟ ଅନୁଯାୟୀ ବିଦ୍ୟାଳୟମାନେ ୮% ଫି’ ବୃଦ୍ଧି କରିପାରିବେ। ମାତ୍ର ଏହାକୁ ନ ମାନି ମନଇଚ୍ଛା ଫି’ ବୃଦ୍ଧି କରିଥିବାରୁ ଅଭିଭାବକ ମହାସଂଘ ଅଭିଯୋଗ କରିଥିଲା। ଏହାକୁ ଗୁରୁତର ସହ ବିଚାର କରି ସ୍କୁଲ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହଦ୍ୱାରା ବେଆଇନ୍‌ ଫି’ ବୃଦ୍ଧି ବନ୍ଦ ହେବା ସହ ରାଜ୍ୟରେ ଏହାକୁ ନେଇ ସଚେତନତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

Share