Categories: ଜାତୀୟ

ମନମୋହନ ସିଂଙ୍କ ସରକାରରେ ଶେଷଥର ପାଇଁ ବଳାତ୍କାରୀଙ୍କୁ ମିଳିଥିଲା ଫାଶୀ: ଗତ ୧୫ ବର୍ଷରେ ୪ ଲକ୍ଷ ମାମଲା; ପ୍ରତିଘଣ୍ଟାରେ ୫ ଜଣ ହେଉଛନ୍ତି ଶିକାର

ନୂଆଦିଲ୍ଲୀ,୩।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ପାଣିର ଗାର ପାଲଟିଛି। ମହିଳାଙ୍କ ସୁରକ୍ଷା ପ୍ରତିଶ୍ରୁତି ପ୍ରବଞ୍ଚନା ପାଲଟିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏକ ରିପୋର୍ଟ ଅନୁସାରେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାରରେ ୨୦୦୪ ଅଗଷ୍ଟ ୧୪ରେ ବଳାତ୍କାରୀଙ୍କୁ ଫାଶୀ ହୋଇଥିଲା। ଇତିମଧ୍ୟରେ ୧୫ ବର୍ଷ ବିତି ଯାଇଛି। ସେହିପରି ବଳାତ୍କାର ମାମଲା ମଧ୍ୟ ୪ ଲକ୍ଷରେ ପହଞ୍ଚିଛି। ଦେଶରେ ପ୍ରତିବର୍ଷ ୪୦ ହଜାର ବଳାତ୍କାର ଘଟଣା ଘଟୁଛି। ହିସାବ ଅନୁସାରେ ପ୍ରତିଦିନ ୧୦୯ ଏବଂ ପ୍ରତିଘଣ୍ଟାରେ ୫ ଜଣ ବଳାତ୍କାରର ଶିକାର ହେଉଛନ୍ତି। ଗତ ୧୦ ବର୍ଷରେ ପ୍ରାୟ ୨ ଲକ୍ଷ ୭୯ ହଜାର ବଳାତ୍କାର ମାମଲା ଦାଏର ହୋଇଛି। ଦେଶରେ ପ୍ରତିବର୍ଷ ୨ ହଜାର ସାମୁହିକ ବଳାତ୍କାର ଘଟଣା ଘଟୁଛି। ତେବେ ଏଭଳି ଘଟଣାରେ କେବଳ ୨୫ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଳୁଛି। ଫଳରେ ଅପରାଧୀଙ୍କ ଡର ଭୟ ରହୁ ନ ଥିବା ଅଭିଯୋଗ ହେଉଛି। ପ୍ରାୟ ୭୧ ପ୍ରତିଶତ ଘଟଣାରେ ବିଭିନ୍ନ କାରଣରୁ କୌଣସି ମାମଲା ଦାଏର ହେଉନାହିଁ। ବିଦେଶୀ ରାଷ୍ଟ୍ରରେ ଏଭଳି ଅପରାଧ ପାଇଁ କଡ଼ା ଦଣ୍ଡାଦେଶ କରାଯାଉଥିବାବେଳେ ଭାରତରେ ଦଣ୍ଡ ବ୍ୟବସ୍ଥା କୋହଳ ଥିବାରୁ ଏଭଳି ହେଉଥିବା କୁହାଯାଇଛି।

Share