ନୂଆଦିଲ୍ଲୀ,୮।୬: କରୋନା ସଂକ୍ରମଣ ସମୟରେ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଏପରିସ୍ଥଳେ ମନରେଗା ଦ୍ୱାରା ଶ୍ରମିକ ଏବଂ ଦିନ ମଜୁରିଆଙ୍କ ପାଖରେ ସରକାରଙ୍କ ଆର୍ଥିକ ସହାୟତା ପହଞ୍ଚି ପାରିଛି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମନରେଗାର ଗୁରୁତ୍ୱ ଉପଲବ୍ଧି କରିବା ଆରମ୍ଭ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଗଣ ମାଧ୍ୟମ ସଂସ୍ଥା ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଏକ ଲେଖାରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଏହାକୁ ନେଇ ଭାଜପା ନେତୃତ୍ୱାଧୀନ ଏନଡ଼ିଏ ସରକାରଙ୍କ ପକ୍ଷରୁ ବିରୋଧି ମନ୍ତବ୍ୟ ଦିଆଯାଉଥିଲା। ତେବେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଏହାର ଗୁରୁତ୍ୱ ବୁଝିଲେ ହିଁ ଦେଶର ବିକାଶ ସମ୍ଭବ ହେବ ବୋଲି ସୋନିଆ ଏହି ଲେଖାରେ କହିଛନ୍ତି।