ମନେପକାଇଲା ସେସୁ, ଦୁଇ ଦିନ ମଧ୍ୟରେ ବକେୟା ବିଲ୍‌ ନ ଦେଲେ କଟିବ ଲାଇନ୍‌

ଭୁବନେଶ୍ୱର,୧୪।୧(ବ୍ୟୁରୋ): ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି(ସେସୁ) ଉପଭୋକ୍ତାମାନଙ୍କୁ ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ ନ କଲେ ବିଦ୍ୟୁତ୍‌ କାଟ୍‌ ହେବ ବୋଲି କହିଛି। ଆସନ୍ତା ୧୬ ତାରିଖରୁ ହିଁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯିବ ବୋଲି ସେସୁ ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂହ ମଙ୍ଗଳବାର ସୂଚନା ଦେଇଛନ୍ତି।

ପ୍ରଥମେ ବକେୟା ରଖିଥିବା କମର୍ସିଆଲ ଉପଭୋକ୍ତାଙ୍କ ଲାଇନ୍‌ କଟିବ। ଯେଉଁ ଘରୋଇ ଉପଭୋକ୍ତା କ୍ଷମତା ଥାଇ ଦେଇ ନ ଥିବେ ସେମାନଙ୍କର ମଧ୍ୟ ଲାଇନ୍‌ କଟାଯିବ। ସେସୁ ଅଧୀନ ୯ଜିଲାରେ ୪୧୩ଟି ସ୍କ୍ବାଡ ବିଦ୍ୟୁତ୍‌ କାଟ୍‌ କାମ କରିବେ। ଏଣୁ ଦୁଇ ଦିନ ମଧ୍ୟରେ ବକେୟା ବିଲ୍‌ ଦେବାକୁ ମନୋଜ କହିଛନ୍ତି। ତେବେ ସାରା ଗାଁରେ ବିଦ୍ୟୁତ୍‌ କାଟ୍‌ ହେବନାହିଁ ବୋଲି ମନୋଜ ସ୍ପଷ୍ଟ କରିଛନ୍ତି। ଗାଁରେ ଯେଉଁ ବ୍ୟକ୍ତି ବିଲ୍‌ ଦେଇ ନ ଥିବେ, ସେମାନଙ୍କର ହିଁ କଟାଯିବ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ବକେୟା ରଖିଥିବା ୧୧,୫୭୯ଟି ଗ୍ରାମକୁ ଚିହ୍ନଟ କରାଯାଇଛି l ସେସୁର ୨୦ ଡିଭିଜନରେ ଥିବା ଏହି ଗ୍ରାମଗୁଡ଼ିକରେ ବିଦ୍ୟୁତ୍‌ କାଟ ଅଭିଯାନ ଆରମ୍ଭ ହେବ। ବକେୟା ଦେଇ ନ ଥିବା ମୋଟ ୭ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୧.୧୦ ଲକ୍ଷ ଗ୍ରାହକ ୨୧ କୋଟି ବକେୟା ପ୍ରଦାନ କରିଛନ୍ତି ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇ କହିଥିଲେ।

Share