ମନେ ମନେ ମନ ଖୋଜୁଥିଲା

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ମନେ ମନେ ମନ ଖୋଜୁଥିଲା।’ କାହାଣୀ ଅନୁସାରେ ଅଭିମନ୍ୟୁ ଏବଂ ଦୁର୍ଯ୍ୟୋଧନଙ୍କ ଭିତରେ ଅହି ନକୁଳ ସମ୍ପର୍କ। ହେଲେ ଅଭିମନ୍ୟୁର ପୁଅ ଓମ୍‌ ଏବଂ ଦୁର୍ଯ୍ୟୋଧନର ଝିଅ ଗୌରୀ ପରସ୍ପରକୁ ଭଲପାଇ ବସନ୍ତି। ହେଲେ ସେମାନଙ୍କର ଏହି ପ୍ରେମ ସାମ୍ନାରେ ଦୁଇ ପରିବାର ଭିତରେ ଥିବା ଦୀର୍ଘଦିନର ଶତ୍ରୁତା ପାଚେରି ପରି ଠିଆ ହୁଏ। ତେବେ ଏଭଳି ପରିସ୍ଥିତିକୁ ସାମ୍‌ନା କରିବା ପରେ ସେମାନେ କିପରି ଏହାର ମୁକାବିଲା କରନ୍ତି? ସେମାନଙ୍କର ପ୍ରେମ ସଫଳ ହୁଏ କି? ଏ ସବୁର ଉତ୍ତର ରହିଛି ନିର୍ମିତ ହେବାକୁ ଯାଉଥିବା ଏହି ସିନେମାରେ। ଖାସ୍‌ କଥା ହେଲା, ଏହି ଫିଲ୍ମରୁ ନବାଗତ ଓମ୍‌କାର ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ନମ୍ରତା ସିଂଦେଓ। ନମ୍ରତା ଏହାପୂର୍ବରୁ ‘ଆଖି ଖୋଲିଲେ ତୁ ହି ତୁ’ରେ ଅଭିନୟ କରିସାରିଥିବା ବେଳେ ତାଙ୍କ ଅଭିନୀତ ‘ଆସିବି ଫେରି ମୁଁ ବସୁଧା ଚିରି’ ରିଲିଜ୍‌ ଅପେକ୍ଷାରେ ରହିଛି। ଅନନ୍ୟା ଏଣ୍ଟରଟେନ୍‌ମେଣ୍ଟ୍‌ସ ବ୍ୟାନରରେ ଫିଲ୍ମଟିର ପ୍ରଯୋଜନା କରିଛନ୍ତି ପ୍ରଭାତୀ ଆଚାର୍ଯ୍ୟ। ଦୁର୍ଗା ଆଚାର୍ଯ୍ୟଙ୍କ କାହାଣୀକୁ ଆଧାର କରି ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଡ. ଦୀପକ ଜେନା। ଖାସ୍‌ କଥା ହେଲା, ବେଶ୍‌ କିଛିବର୍ଷର ଗ୍ୟାପ୍‌ ପରେ ପୁଣିଥରେ ନିର୍ଦ୍ଦେଶନା ମଇଦାନକୁ ଫେରୁଛନ୍ତି ଏନ୍‌. ପାଢ଼ୀ। ଗୀତଗୁଡିକୁ ସ୍ବର ଦେଇଛନ୍ତି ଜି. ଅଶୋକ କୁମାର। ଓମ୍‌କାର-ନମ୍ରତାଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ ମହାନ୍ତି, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

Share