ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ: ତାଗିଦ୍‌ କଲେ ବାଚସ୍ପତି

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଚଳିତ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଶାସକ ଦଳର ସଦସ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହିବାକୁ କଡ଼ା ନିର୍ଦ୍ଦେଶ ଦେଲେ। ମାତ୍ର ଏହି ନିର୍ଦ୍ଦେଶକୁ ସଦସ୍ୟମାନେ ମାନୁନାହାନ୍ତି। ଗୃହ ଚାଲୁଥିବାବେଳେ ହାତଗଣତି କେତେଜଣ ସଭ୍ୟଙ୍କୁ ବାଦ୍‌ଦେଲେ ଅଧିକାଂଶ ଅନୁପସ୍ଥିତ ରହୁଛନ୍ତି। ଗୃହକାର୍ଯ୍ୟ ଆରମ୍ଭ ବେଳକୁ ସଦସ୍ୟମାନେ ଉପସ୍ଥିତ ରହୁଛନ୍ତି। ପ୍ରଶ୍ନକାଳ ପରେ ଅଧିକାଂଶ ସିଟ୍‌ ଫାଙ୍କା ପଡ଼ୁଛି। କେବଳ ଶାସକ ନୁହନ୍ତି ବିରୋଧୀ ଦଳ ସଦସ୍ୟଙ୍କର ମଧ୍ୟ ସମାନ ଅବସ୍ଥା । ସମୟ ପୂର୍ବାହ୍ନ ୧୨ଟା ୨୨ ମିନିଟ୍‌। ଶୂନ୍ୟକାଳ ଚାଲିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବକ୍ତବ୍ୟ ରଖୁଥିଲେ। ଏହି ଗୃହରେ କୌଣସି ମନ୍ତ୍ରୀ ଉପସ୍ଥିତ ନ ଥିଲେ। କେବଳ ଅଳ୍ପ କେତେକ ଶାସକ ସଦସ୍ୟ ନିଜ ସିଟ୍‌ରେ ବସିଥିଲେ। ଗୃହ ଭିତରେ ମନ୍ତ୍ରୀ ମରୁଡ଼ି ଦେଖି ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଚିତ୍କାର କଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା ଏହି ପ୍ରସଙ୍ଗ ଉଠାଇ ପାଟି କଲେ। ଗୃହର ମଧ୍ୟଭାଗକୁ ମାଡ଼ି ଆସିଲେ। ଭାଜପା ସଦସ୍ୟ ମଧ୍ୟ କଂଗ୍ରେସ ସହ ତାଳଦେଇ ପାଟିତୁଣ୍ଡ କଲେ । ହଟ୍ଟଗୋଳ ଦେଖି ବିଧାନସଭା ଲବିରେ ବସିଥିବା ବିଜେଡି ସଦସ୍ୟ ତରବର ହୋଇ ଗୃହ ଭିତରକୁ ପ୍ରବେଶ କଲେ। ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତୁରନ୍ତ ଆସି ସିଟ୍‌ରେ ବସିଯାଇଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ କଡ଼ା ତାଗିଦ୍‌ କଲେ। ଗୃହ ଚାଲିଥିବାବେଳେ ଜଣେ ଦୁଇଜଣ ମନ୍ତ୍ରୀ ଯେପରି ଉପସ୍ଥିତ ରହିବେ ତାହା ନିଶ୍ଚିତ କରିବାକୁ ବାଚସ୍ପତି ସରକାରୀ ଦଳର ମୁଖ୍ୟ ସଚେତକଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share