Categories: ଜାତୀୟ

ମନ୍ତ୍ରୀଙ୍କ ଘରେ କଙ୍କଡା ଫୋପାଡ଼ି ବିରୋଧ ପ୍ରଦର୍ଶନ କଲେ ଏନ୍‌ସିପି କର୍ମକର୍ତ୍ତା

ପୁଣେ,୯।୭: ମହାରାଷ୍ଟ୍ରର ରାଷ୍ଟ୍ରବାଦୀ କଂଗ୍ରେସ ଦଳ(ଏନ୍‌ସିପି)ର ଯୁବ କର୍ମକର୍ତ୍ତା ଜଳ ସଂରକ୍ଷଣ ମନ୍ତ୍ରୀ ତାନାଜି ସାଓ୍ବନ୍ତଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରତ୍ନଗିରି ଜିଲାର ତିଓ୍ବାରେ ଡ୍ୟାମ ଭାଙ୍ଗିବା ଉପରେ ମନ୍ତ୍ରୀ ଦେଇଥିବା ବୟାନକୁ ବିରୋଧ କରି ତାଙ୍କ ଘର ବାହାରେ ଏନ୍‌ସିପି କର୍ମକର୍ତ୍ତାମାନେ କଙ୍କଡା ଫୋପାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଲଗାତାର ବର୍ଷା ଯୋଗୁ କିଛି ଦିନ ତଳେ ତିଓ୍ବାରେ ଡ୍ୟାମ ଭାଙ୍ଗିଯାଇଥିଲା। ଫଳରେ ଆଖପାଖ ଅଞ୍ଚଳରେ ଥିବା ବହୁ ଗଁ। ଗୁଡିକରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଅପରପକ୍ଷରେ ଡ୍ୟାମରେ ଅତ୍ୟଧିକ କଙ୍କଡ଼ା ହୋଇଥିବାରୁ ଡ୍ୟାମଟି ଲିକେଜ୍‌ ହୋଇ ଭାଙ୍ଗିଯାଇଥିଲା। ଡ୍ୟାମ ଭାଙ୍ଗିବାର ଏକମାତ୍ର କାରଣ କଙ୍କଡା ବୋଲି ମନ୍ତ୍ରୀ ତାନାଜି କହିଥିଲେ। ତେବେ କାର୍ଯ୍ୟରେ ଅବହେଳା ନ ଦର୍ଶାଇ ମନ୍ତ୍ରୀ କଙ୍କଡ଼ାକୁ କାରଣ କରୁଥିବାରୁ କର୍ମକର୍ତ୍ତାମାନେ ଏହାକୁ ବିରୋଧ କରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Share