ମନ୍ତ୍ରୀଙ୍କ ସାମାଜିକ ଦୂରତା ପରାମର୍ଶ ମାନିଲେନି

ଖଇରା, ୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ବିଭିନ୍ନ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗୁରୁବାର ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଥିଲା। ତେବେ ମନ୍ତ୍ରୀ ପାଣିଗ୍ରାହୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ମାସ୍କ ନେବାକୁ ଆସିଥିବା ରାଶନକାର୍ଡଧାରୀ ଓ ଉପସ୍ଥିତ ରୋଗୀ ଭିଡ ଲଗାଇଥିଲେ। କେହି ଏହାକୁ ଭିଡିଓ କରି ଭାଇରାଲ କରିବା ପରେ ମନ୍ତ୍ରୀ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଖଇରା ଅଞ୍ଚଳର ସଞ୍ଚୟିକା ମହିଳା ମହାସଂଘ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୪୦ହଜାର ମାସ୍କ ଖଇରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ଡିଲର ପଏଣ୍ଟରେ ରାଶନକାର୍ଡଧାରୀମାନଙ୍କୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ବ୍ଲକରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ, ମହିଳା ଗୋଷ୍ଠୀର ସଭାପତି ରଶ୍ମିତା ମହାପାତ୍ର, ଏମବିକେ ନିରୂପମା ନାୟକ ପ୍ରମୁଖଙ୍କ ଉପସ୍ଥିତିରେ ସାମାଜିକ ଦୂରତା ରଖାଯାଇ ମାସ୍କ ବଣ୍ଟନ କରାଯାଇଥିଲା। ପରେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାଧାରଣ ଲୋକ ଓ ରୋଗୀମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। ତେବେ ଗୁରୁବାର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରବଳ ଭିଡ ଥିବାରୁ ମନ୍ତ୍ରୀ ସାମାଜିକ ଦୂରତା ରକ୍ଷା କରି ମାସ୍କ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ୫ଭାଗ ଲୋକ ଦୂରତା ନ ମାନି ମାସ୍କ ଆଣିବାକୁ ପ୍ରତିଯୋଗିତା କରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କୁ ବଦନାମ କରିବା ସହ ତାଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଇଛି।