ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ:ଜିଲା ଗସ୍ତବେଳେ ସ୍କୁଲ, ଅନାଥାଶ୍ରମରେ ମଧ୍ୟାହ୍ନ ଭୋଜନ ଖାଅ

ଭୁବନେଶ୍ୱର, ୨୩-୧୦(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଲଗା ଅଲଗା କାର୍ଯ୍ୟରେ ମନ୍ତ୍ରୀମାନେ ଜିଲା ଗସ୍ତ କରିବା ସମୟରେ ବାହାରେ ମଧ୍ୟାହ୍ନ ଭୋଜନ କରିବେ ନାହିଁ। ସେହି ଜିଲାରେ ଥିବା ଅନାଥ ଆଶ୍ରମ, ଭିନ୍ନକ୍ଷମ ଏବଂ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାର କେନ୍ଦ୍ରରେ ଅଚାନକ ପହଞ୍ଚି ମଧ୍ୟାହ୍ନ ଭୋଜନ ଖାଇବା ଲାଗି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ସେହିସବୁ ଅନୁଷ୍ଠାନ ଗୁଡ଼ିକରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ସ୍ଥାନର ସମସ୍ୟା ସମ୍ପର୍କରେ ମନ୍ତ୍ରୀମାନେ ଜାଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଥିବା ଅନୁଷ୍ଠାନଗୁଡିକରେ ଉନ୍ନତି ଆଣିବା ଲାଗି ନୂଆ ସୁଯୋଗ ସୃଷ୍ଟି ହୋଇ ପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ କାହାକୁ ନ ଜଣାଇବା ତଥା ୩ରୁ ୪ଜଣଙ୍କ ମଧ୍ୟରେ ତାହା ସୀମିତ ରଖିବା ଉପରେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Share