ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜୟ ଲାଭ ପରେ ଏହି ନେତାମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାହାନାରେ ପରୋକ୍ଷରେ ମନ୍ତ୍ରୀପଦ ପାଇଁ ଦାବିଦାର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଇଶାରା କରିଛନ୍ତି। ତେବେ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନଙ୍କୁ ସାମିଲ କରାଯିବ ତାହା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ଆଜି ମଧ୍ୟରାତ୍ର କିମ୍ବା ବୁଧବାର ବଡ଼ିଭୋରରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକମାନଙ୍କୁ ଫୋନ ମାଧ୍ୟମରେ ଜଣାଇ ଦିଆଯିବ। ମନ୍ତ୍ରୀ ତାଲିକାକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି। ଗତ ମନ୍ତ୍ରିମଣ୍ଡଳରେ ଯେଉଁମାନେ ମନ୍ତ୍ରୀ ଥିଲେ ସେମାନେ ମଧ୍ୟ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ସ୍ବପ୍ନ ଦେଖୁଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପାଇଁ ବିଧାୟକମାନଙ୍କର କାର୍ଯ୍ୟ ଦକ୍ଷତା, ଚରିତ୍ର ପଞ୍ଜିକା, ବିଜୟ ବ୍ୟବଧାନ ଇତ୍ୟାଦିକୁ ମାନଦଣ୍ଡ ଆକାରରେ ଧରାଯାଇଥିବା କୁହାଯାଉଛି। ତେବେ ନୂଆ ମନ୍ତ୍ରିମଣ୍ଡଳରେ ଅଧାରୁ ଅଧିକ ନୂଆ ମୁହଁକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ମହିିଳାମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ଅଗ୍ରାଧିକାର ମିଳିବ ବୋଲି ଚର୍ଚ୍ଚା ହେଉଛି।

Share