ମନ୍ତ୍ରୀ ପରିଷଦ ବୈଠକ: ତୃଣମୂଳସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ଲୋକଙ୍କ ନିକଟତର ହୁଅ। ସେମାନଙ୍କ ସମସ୍ୟା ବୁଝି ବ୍ୟକ୍ତିଗତସ୍ତରରେ ସମାଧନ କରିବା ପାଇଁ ଚେଷ୍ଟାକର। ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଗସ୍ତକରି ନିଜ ବିଭାଗର କାର୍ଯ୍ୟ କିପରି ଚାଲିଛି ସେଗୁଡ଼ିକ ତଦାରଖ କର। ଲୋକମାନଙ୍କ ସହ ମିଶି ନିଜ ବିଭାଗର କାର୍ଯ୍ୟ ଠିକ୍‌ରେ ହେଉଛି କି ନାହିଁ ଏବଂ ସରକାରୀ ଜନକଲ୍ୟାଣ ଯୋଜନା ପହଞ୍ଚୁଛି କି ନାହିଁ ସେ ବିଷୟରେ ତୃଣମୂଳସ୍ତରରେ ଲୋକମାନଙ୍କଠାରୁ ପଚାରି ବୁଝ। ନିଜ ବିଭାଗର ବିଭିନ୍ନ ଅଫିସକୁ ଅଚାନକ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ଉପରେ ସିଧାସଳଖ ନଜର ରଖ। ଏହା ଦ୍ୱାରା ସରକାରୀ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ଗୁରୁବାର ସଚିବାଳୟଠାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କୁ ଏମିତି କଡ଼ା ତାଗିଦ୍‌ କରିଛନ୍ତି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଅଞ୍ଚଳ ବାରମ୍ବାର ଗସ୍ତ କରି ଲୋକମାନଙ୍କୁ ସାକ୍ଷାତ୍‌ କରିବା ଦରକାର। ପ୍ରତ୍ୟକ୍ଷ ଭାବରେ ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ଦରକାର। ସରକାରୀ ସେବାଗୁଡ଼ିକ ହିତାଧିକାରୀମାନେ ଠିକ୍‌ରେ ପାଉଛନ୍ତି କି ନାହିଁ ସେମାନଙ୍କଠାରୁ ସେ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ୫-ଟି (ଟ୍ରାନ୍ସପରେନ୍ସି, ଟେକ୍‌ନୋଲୋଜି, ଟିମ୍‌ ଓ୍ବର୍କ, ଟ୍ରାନ୍ସଫର୍‌ମୋଶନ ଏବଂ ଟାଇମ୍‌) ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସ୍ବଚ୍ଛତା ଏବଂ ଦକ୍ଷତା ପାଇଁ କଠିନ ପରିଶ୍ରମ ଅତ୍ୟନ୍ତ ଜରୁରୀ। ନିଜ ବିଭାଗର କାମ କିପରି ସହଜ ଓ ସ୍ବଚ୍ଛତାର ସହ ହୋଇପାରିବ, ସେଥିପ୍ରତି ଧ୍ୟାନଦେବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ବାତ୍ୟା ‘ଫନୀ’ର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୧୨ଶହ କୋଟି ଏବଂ ସାମାଜିକ ସୁରକ୍ଷା ପାଇଁ ପ୍ରାୟ ୨ଶହ କୋଟି ଟଙ୍କା ଉଠାଇଥିଲେ। ଏଥିପାଇଁ ଆଇନରେ ବ୍ୟବସ୍ଥା ନ ଥିବାରୁ ଅଧ୍ୟାଦେଶ ବଳରେ ରାଜ୍ୟ ସରକାର ଏହି ଅର୍ଥ ଖର୍ଚ୍ଚ କରିଥିଲେ। ଅଧ୍ୟାଦେଶ ସମୟସୀମା ଶେଷ ହୋଇଯାଇଥିବାରୁ ଆପାତକାଳୀନ ପାଣ୍ଠିରୁ ଉକ୍ତ ଅର୍ଥ ଭରଣା କରାଯାଇଛି। ଏହାକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯାଇଛି।

Share