Categories: ବାଣିଜ୍ୟ

ମନ୍ଥର ଅଭିବୃଦ୍ଧି ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା

ନୂଆଦିଲ୍ଲୀ,୨୮-୧୨: ଦେଶର ଅର୍ଥନୈତିକ ଅଭିବୃଦ୍ଧି ବର୍ତ୍ତମାନ ମନ୍ଥର ସ୍ଥିତିରେ ରହିଛି। ଏହା ସତ୍ତ୍ୱେ ବିତ୍ତୀୟ ସ୍ଥିତାବସ୍ଥା ରହିଥିବା ରିଜର୍ଭ ବ୍ୟାଙ୍କ ଶୁକ୍ରବାର କହିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ବିକାଶ ହାର ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏହାକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କ ଏହାର ବିକାଶ ଅନୁମାନକୁ ୨୪୦ ବେସିସ ପଏଣ୍ଟ କମାଇବା ସହ ୫%କୁ ହ୍ରାସ କରିଛି। ଶୁକ୍ରବାର ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଫାଇନାନ୍ସିଆଲ ଷ୍ଟାବିଲିଟି ରିପୋର୍ଟରେ କୁହାଯାଇଛି ଯେ, ମନ୍ଥର ବିକାଶ ହାର ସତ୍ତ୍ୱେ ବ୍ୟବସ୍ଥାରେ ସ୍ଥିରତା ପରିଲକ୍ଷିତ ହୋଇଛି। ଏହି ସମୟରେ ବିଭିନ୍ନ ରିସ୍କ ରହିଥିବା ଏହା ସୂଚନା ଦେଇଛି। ବିଶ୍ୱ ସ୍ତରର ରିସ୍କ, ଦେଶର ମୌଳିକ ଅର୍ଥନୈତିକ ଢାଞ୍ଚା, ପୁଞ୍ଜି ବଜାରର ସମସ୍ୟା, ଅନୁଷ୍ଠାନଗୁଡିକର ସ୍ଥିତି ଭଳି ବିଭିନ୍ନ ପ୍ରସଙ୍ଗ ଦେଶର ଆର୍ଥତ୍କ କ୍ଷେତ୍ର ଉପରେ ପ୍ରଭାବ ପକାଉଥିବା ରିପୋର୍ଟରେ କୁହାଯାଇଛି। ଚଳିତ ବର୍ଷ ଏପ୍ରିଲଠାରୁ ନଭେମ୍ବର ମଧ୍ୟରେ ଘରୋଇ ଅଭିବୃଦ୍ଧି, ବିତ୍ତୀୟ, କର୍ପୋରେଟ କ୍ଷେତ୍ର ଏବଂ ବ୍ୟାଙ୍କଗୁଡିକର ଆସେଟ କ୍ୱାଲିଟି ଉପରେ ବିପଦ ବଢିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ସେହିଭଳି ସେପ୍ଟେମ୍ବର ୨୦୨୦ ସୁଦ୍ଧା ଦେଶର ବ୍ୟାଙ୍କଗୁଡିକରେ ମୋଟ ଏନ୍‌ପିଏ ଆସନ୍ତା ବର୍ଷ ସେପ୍ଟେମ୍ବର ସୁଦ୍ଧା ୯.୯%କୁ ବୃଦ୍ଧି ଘଟିପାରେ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପ୍ରକାଶ କରିଛି। ସେହିଭଳି ୫ କୋଟି କିମ୍ବା ଏହାଠାରୁ ଅଧିକ ପରିମାଣର ଋଣ ସମ୍ପର୍କରେ ରିପୋର୍ଟ କରିବା ଲାଗି ବଡ କର୍ପୋରେଟ ବ୍ୟାଙ୍କଗୁଡିକୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛି। ଏହା ଦ୍ୱାରା ସାମ୍ଭାବ୍ୟ ଆର୍ଥତ୍କ ଅସୁବିଧାକୁ ଦୂର କରାଯାଇ ପାରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ମତ ରଖିଛି। ସେହିଭଳି ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ରେକର୍ଡ ୧.୧୩ ଲକ୍ଷ କୋଟି ଟଙ୍କାର ଠକେଇ ହୋଇଥିବା ରିଜର୍ଭ ବ୍ୟାଙ୍କ ରିପୋର୍ଟରେ ପ୍ରକାଶ ପାଇଛି। ୪,୪୧୨ ଠକେଇ ମାମଲାରେ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକେଇ ହୋଇଛି।
କର୍ପୋରେଟ ଗଭର୍ନାସରେ ଉନ୍ନତି ଲାଗି ଶକ୍ତିକାନ୍ତଙ୍କ ଆହ୍ବାନ
ଅର୍ଥ ବ୍ୟବସ୍ଥାକୁ ଏହାର ପୂର୍ଣ୍ଣ କ୍ଷମତାରେ ଅଗ୍ରସର ହେବା ଲାଗି କର୍ପୋରେଟ ଗଭର୍ନାସରେ ଉନ୍ନତି ଲାଗି ଗଭର୍ନର ଶକ୍ତିକାନ୍ତ ଦାସ ଇଣ୍ଡିଆ ଇଙ୍କ ସମେତ ବ୍ୟାଙ୍କଗୁଡିକୁ ମଧ୍ୟ ଆହ୍ବାନ ଦେଇଛନ୍ତି। ଦ୍ୱେତ ଇଞ୍ଜିନ କୁହାଯାଉଥିବା ନିବେଶ ଏବଂ ଚାହିଦାକୁ ବଢାଇବା ଏକ ପ୍ରମୁଖ ଚ୍ୟାଲେଞ୍ଜ ବୋଲି ଶକ୍ତିକାନ୍ତ ମତ ଦେଇଛନ୍ତି।

Share