ମନ୍ଥର ଗତିରେ ମେଡ଼ିକାଲ ଗୃହ ନିର୍ମାଣ

ସଜନାଗଡ଼, ୧୭।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ବହୁଳ ଅଞ୍ଚଳ। ଉକ୍ତ ଅଞ୍ଚଳର ସମସ୍ତ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଗୃହ ନ ଥିବାରୁ ରୋଗୀଙ୍କ ସମସ୍ୟାକୁ ନଜରରେ ରଖି ୫୦ଶଯ୍ୟା ବିଶିଷ୍ଟ ଅନ୍ତର୍ବିଭାଗ ଓ ବହିର୍ବିଭାଗ ଗୃହ ନିର୍ମାଣ ଲାଗି ପୂର୍ତ୍ତବିଭାଗ ଅନୁଦାନରେ ଜାତୀୟ ସ୍ବାସ୍ଥ୍ୟ ମିଶନର ୧କୋଟି ୮୫ଲକ୍ଷ ୩୭ହଜାର ୫ଶହ ଆଠ ଟଙ୍କା ମଞ୍ଜୁର ହୋଇଛି। ୨୦୧୯ ଅକ୍ଟୋବର ୨୧ତାରିଖରୁ ଗୃହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ହେଲେ କାମ ଆରମ୍ଭରୁ ଚିକିତ୍ସାଳୟ ଓପିଡ଼ି ସମ୍ମୁଖରେ ମାଟି ଖୋଳି ଛାଡି ଦିଆଯାଇଥିବାରୁ ଏଠାକୁ ଆସୁଥିବା ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟମାନେ ଅଧିକାଂଶ ସମୟରେ ଖାଲରେ ପଡିଯାଉଥିବା ଦେଖିବାକୁ ମିଳୁଛି।
ଏହି ଚିକିତ୍ସାଳୟ ଉପରେ ୩୦ରୁ ଅଧିକ ପଞ୍ଚାୟତ ଓ ଏନ୍‌ଏସିର ହଜାର ହଜାର ପରିବାର ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ହସ୍‌ପିଟାଲରେ ଏବେ ଡାକ୍ତର, ନର୍ସ, କର୍ମଚାରୀଙ୍କ ମରୁଡ଼ି ଥିବା ବେଳେ ପୁରୁଣା ମହିଳା ଓ ପୁରୁଷ ୱାର୍ଡ଼କୁ ଦେଢ଼ବର୍ଷ ପୂର୍ବରୁ ଭାଙ୍ଗିଦିଆଯାଇଛି। ଏବେ ରୋଗୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ପୁରୁଷ ରୋଗୀମାନେ ଚକ୍ଷୁ ୱାର୍ଡରେ ସ୍ବାସ୍ଥ୍ୟସେବା ପାଉଥିବା ବେଳେ ମହିଳା ରୋଗୀ ଶିଶୁ ୱାର୍ଡ଼ରେ ଚିକିତ୍ସିତ ହେଉଛନ୍ତି। ଜଣେ ନର୍ସ ଦୌଡ଼ି ଦୌଡି କାର୍ଯ୍ୟ କରୁଥିବା ଦେଖାଯାଉଛି। ଗୋଟିଏ ସମୟରେ ଦୁଇଟି ପୃଥକ୍‌ ୱାର୍ଡ଼ରେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଅସମ୍ଭବ ହୋଇପଡ଼ିଛି। ଦୁଇଟି ପୃଥକ୍‌ ସ୍ଥାନରେ ନୂତନ ବିଲଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମନ୍ଥର ଗତିରେ ଚାଲିଛି। ଏପରିକି କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ଉଠିଛି। ଏବେଠାରୁ କାମର ମାନ ତଦାରଖ କରା ନ ଗଲେ ବିଲ୍ଡିଂ ଭୁଶୁଡିବା ଆଶଙ୍କା ଦେଖାଦେବ। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସ୍‌ଡିଓ ପ୍ରଫୁଲ୍ଲ କୁମାର ଦାସଙ୍କୁ ଯୋଗାଯୋଗ କରିବା ପରେ ସେ ଘଟଣାକୁ ଗୁରୁତର ସହ ନେଇ ତଦାରଖ କରିବେ ବୋଲି କହିଛନ୍ତି।

Share