Categories: ଖେଳ

ସାଇ ସୁନ୍ଦରଗଡ଼ରେ ହାଇ ପରଫରମାନ୍ସ ସେଣ୍ଟର

ନୂଆଦିଲ୍ଳୀ, ୭।୨(ପି.ଟି.)- ଦେଶର ବିଭିନ୍ନ ୭ଟି ସ୍ଥାନରେ ହାଇ ପରଫରମାନ୍ସ ସେଣ୍ଟର ଖୋଲାଯାଇଛି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଓ ହକି ଇଣ୍ଡିଆ ଏ ନେଇ ମିଳିତ ଭାବେ ଘୋଷଣା କରିଛନ୍ତି। ଜୁନିୟର ଓ ସବ୍‌ଜୁନିୟର ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସହ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଏହି ପରଫରମାନ୍ସ ସେଣ୍ଟର ଲଞ୍ଚ୍‌ କରାଯାଇଛି ବୋଲି କୁହାଯାଇଛି। ୨୦୨୪ ଓ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ନୂଆ ପ୍ରତିଭାସମ୍ପନ୍ନ ଖେଳାଳି ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଆଗାମୀ ୩ ମାସ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ଧ୍ୟାନଚାନ୍ଦ ନ୍ୟାଶନାଲ ହକି ଷ୍ଟାଡିୟମଠରେ ଥିବା ଜାତୀୟ ହକି ଏକାଡେମୀ, ଓଡ଼ିଶାର ସାଇ ସୁନ୍ଦରଗଡ଼, ଭୋପାଳ ସ୍ଥିତ ସାଇ ୟୁଡିଏମ୍‌ସିସି ଓ ସାଇ ବେଙ୍ଗାଲୁରୁକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ବାକି ୩ଟି ସେଣ୍ଟର ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ବିକଶିତ କରାଯିବ ବୋଲି କୁହାଯାଇଛି। ହକି ଇଣ୍ଡିଆ ଓ ହାଇ ପରଫରମାନ୍ସ ଡାଇରେକ୍ଟର ଏହି ସେଣ୍ଟରଗୁଡିକୁ ଅତି ନିକଟରୁ ନିରୀକ୍ଷଣ କରିବ। ଏଥିସହିତ ଆଥଲେଟମାନଙ୍କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ନିରୀକ୍ଷଣ କରାଯିବ।
ଖେଲୋ ଇଣ୍ଡିଆ ସ୍କିମ୍‌ରେ ଏହି ୭ଟି ହାଇ ପରଫରମାନ୍ସ ସେଣ୍ଟର ସ୍ଥାପନ କରାଯିବ। ଏହି ସେଣ୍ଟରଗୁଡିକରେ ଅଭିଜ୍ଞ ତଥା ପେସାଦାର ବ୍ୟକ୍ତିମାନେ ପ୍ରଶିକ୍ଷଣ ଦେବେ। ଯୁବ କ୍ରୀଡ଼ାବିତ୍‌ଙ୍କୁ ସ୍ପୋଟର୍‌ସ ସାଇନ୍ସ ଓ ଶିକ୍ଷା ପ୍ରଦାନକୁ ଅଧିକ ଗୁରୁତ୍ୱ ଦିଆଯିବ। ଅପେକ୍ଷାକୃତ ଅଧିକ ହକି ଖେଳୁଥିବା ଜନସଂଖ୍ୟା ବିଶିଷ୍ଟ ଏହି ୭ଟି ସହରରେ ଉପଯୁକ୍ତ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ଏଠାରେ ହାଇପରଫମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ଏଭଳି ସୁବିଧା ସୁଯୋଗ ଥିବା ଅନ୍ୟ ଗ୍ରହଣଯୋଗ୍ୟ ସ୍ଥାନକୁ ଚିହ୍ନଟ କରାଯାଉଛି ଓ ଭବିଷ୍ୟତରେ ଏଗୁଡିକୁ ହାଇପରଫରମାନ୍ସ ସେଣ୍ଟରରେ ପରିଣତ କରାଯିବ ବୋଲି କୁହାଯାଇଛି।
ଦେଶରେ ଏବେ ଚାଲୁ ରହିଥିବା ସାଇ ସେଣ୍ଟର ଓ ହକି ଏକାଡେମୀଗୁଡିକ ହାଇପରଫରମାନ୍ସ ହକି ସେଣ୍ଟର ପାଇଁ ଏବେ ପିଡର ସେଣ୍ଟର ଭାବେ କାର୍ଯ୍ୟ କରିବ। ଏଗୁଡିକରେ ୭୨ ଜଣ ପୁରୁଷ ଓ ୭୨ ଜଣ ମହିଳା ହକି ଖେଳାଳି ରହିପାରିବେ। ବେଙ୍ଗାଲୁରୁ ସାଇ ସେଣ୍ଟର ସିନିୟର ଓ ଜୁନିୟର ଜାତୀୟ ଦଳ ପାଇଁ ମୁଖ୍ୟ ସ୍ଥାନ ହୋଇ ରହିବ। ୧୪ରୁ ୨୪ ବର୍ଷ ମଧ୍ୟରେ ଥିବା ଖେଳାଳିଙ୍କୁ ଏଥିରେ ସାମିଲ ହେବା ପାଇଁ ଚୟନ କରାଯିବ।
୭ ହାଇ ପରଫରମାନ୍ସ ସେଣ୍ଟର
୧. ସାଇ ସେଣ୍ଟର ବେଙ୍ଗାଲୁରୁ, କର୍ନାଟକ (ସାଉଥ ଜୋନ)
୨. ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମ, ନୂଆଦିଲ୍ଲୀ (ନର୍ଥ ଜୋନ)
୩. ସାଇ ସୁନ୍ଦରଗଡ଼, ଓଡ଼ିଶା (ଇଷ୍ଟ ଜୋନ)
୪. ସାଇ ୟୁଡିଏମ୍‌ ସିସି, ଭୋପାଳ, ମଧ୍ୟ ପ୍ରଦେଶ (ସେଣ୍ଟ୍ରାଲ ଜୋନ୍‌)
୫. ସାଇ ଏନ୍‌ଏସ୍‌ଏନ୍‌ଇସି, ଟାକିଏଲ, ଇମ୍ପାଲ, ମଣିପୁର (ନର୍ଥ-ଇଷ୍ଟ ଜୋନ୍‌)
୬. ବାଲଓ୍ବୋଡ଼ି ସ୍ପୋଟର୍‌ସ କମ୍ପ୍ଲେକ୍ସ, ପୁଣେ, ମହାରାଷ୍ଟ୍ର (ଓ୍ବେଷ୍ଟ ଜୋନ୍‌)
୭. ସାଇ ସେଣ୍ଟର, ରାଞ୍ଚି ଓ ଗୋମ୍‌କେ ଜୟପାଲ ସିଂ ଆଷ୍ଟ୍ରୋଟର୍ପ ହକି ଷ୍ଟାଡିୟମ(ଇଷ୍ଟ ଜୋନ୍‌ ୨)।

Share