ମନ୍ଦିର, ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୫- ମହାମାରୀ କରୋନା ପାଇଁ ଏଥର ସବୁ ମନ୍ଦିର ଓ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି ହୋଇଛି। ଏଥିଯୋଗୁ ସୋମବାର ପାଳନ ହେବାକୁ ଥିବା ଇଦ୍‌ ପର୍ବ ଏକ ପ୍ରକାର ଫିକା ପଡ଼ିବ ବୋଲି କୁହାଯାଉଛି। ଇଦ୍‌ ପର୍ବରେ ସ୍ଥାନୀୟ ଇଦ୍‌ଗାହାରେ ସାମୂହିକ ନମାଜ ପାଠ ହୋଇଥାଏ। ନୂଆ ଲୁଗା ପିନ୍ଧି, ନମାଜ ପରେ ମୁସଲମାନ ଶ୍ରଦ୍ଧାଳୁମାନେ ଦାନ ଧର୍ମ କରିଥାନ୍ତି । ପ୍ରାୟ ୫ ହଜାରରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପାଠ କରିଥାନ୍ତି। ଏଥର କିନ୍ତୁ କାରୋନା କଟକଣା ବଳବତ୍ତର କାରଣରୁ ମସ୍‌ଜିଦ୍‌ରେ ସର୍ବାଧିକ ୫ ଜଣ ନମାଜ ପାଠ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଚଉଦ ମହଲା ମୁସଲିମ ଜମାତର ସଭାପତି ମହମ୍ମଦ ଅବଦୁଲ ବାରି କୁହନ୍ତି ପ୍ରଶାସନର ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଇବୁ। ଏହି କଟକଣା କାରଣରୁ ମସ୍‌ଜିଦ୍‌ ଗୁଡ଼ିକ ଖାଁ ଖାଁ ଲାଗୁଛି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଏସ୍‌ପି କୈଳାସ ପରିଡା, ଉପଜିଲାପାଳ ପୀତାମ୍ବର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, ଚଉଦ ମହଲା ମୁସଲିମ ଜମାତର ସଭାପତି ପ୍ରମୁଖ ଆଲୋଚନା ସମୟରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୧୪୪ ଧାରା ଜାରି କାରଣରୁ ଗତ ସାବିତ୍ରୀ ଦିନ ପୂଜାର୍ଚ୍ଚନା ଲାଗି କୌଣସି ହିନ୍ଦୁ ମନ୍ଦିରକୁ ଯାଇ ନ ଥିଲେ।

Share