Advertisement

ମନ୍ଦିରରୁ ଚୋରି ସାମଗ୍ରୀ ଉଦ୍ଧାର ଲାଗି ତତ୍ପରତା ନାହିଁ, ଭକ୍ତ ମହଲରେ ଅସନ୍ତୋଷ

ଆନନ୍ଦପୁର,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦଧିବାମନଜୀଉଙ୍କ ମନ୍ଦିରରୁ ରାଧା ଓ କୃଷ୍ଣଙ୍କ ପିତ୍ତଳ ମୂର୍ତ୍ତି ଆଜକୁ ୧୧ ଦିନ ତଳେ ଚୋରି ହେଇଥିଲା। ହେଲେ ଏହି ଚୋରି ସାମଗ୍ରୀର ଉଦ୍ଧାର ପାଇଁ ଦେବୋତ୍ତର ବିଭାଗଠାରୁ ଆରମ୍ଭ କରି ପୋଲିସ ପ୍ରଶାସନ, ମନ୍ଦିର ପରିଚାଳନା କମିଟି କେହି ତପତ୍ରତା ପ୍ରକାଶ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସୂଚନା ମୁତାବକ ସିସିଟିଭିର ଫୁଟେଜ୍‌ ବାହାର କରିବା ପାଇଁ ଜନୈକ ବ୍ୟବସାୟୀଙ୍କୁ କହିଥିବାବେଳେ ବିଭିନ୍ନ ସମସ୍ୟା କହି ବ୍ୟବସାୟୀ ବିଳମ୍ବ କରୁଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ଦେବୋତ୍ତର ବିଭାଗ ମୁଖ୍ୟ ତଥା ଉପଜିଲାପାଳ ରବୀନ୍ଦ୍ର ସାହୁ କହିଛନ୍ତି, ଉଦ୍ୟମ ଚାଲିଛି ଓ ଏ ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଛି। ମନ୍ଦିରର ଶହେ ମିଟର ଦୂରରେ ଥିବା ଆନନ୍ଦପୁର ପୋଲିସ ୮ ଦିନ ପରେ ମନ୍ଦିରରେ ଯାଇ ପଚରାଉଚରା କରିଥିଲେ ବି ତଦନ୍ତରେ କୌଣସି ଅଗ୍ରଗତି ହୋଇ ନ ଥିବା ଦେଖାଯାଇଛି। ମନ୍ଦିରର ସୁରକ୍ଷା ପାଇଁ ସିସିଟିଭି ଲଗାଯାଇଛି। ହେଲେ ଚୋରିର ୧୧ ଦିନ ପରେ ବି ସିସିଟିଭି ଫୁଟେଜ୍‌ ଲୋକଲୋଚନକୁ ଆସି ନ ପାରିବା ପରିତାପର ବିଷୟ ବୋଲି ସାଧାରଣରେ କୁହାଯାଉଛି। ବର୍ଷକ ପୂର୍ବରୁ ମନ୍ଦିରର ମୁଖ୍ୟ ଦେଉଳରୁ ୪ଟି ସୁନା ଚିତା ଚୋରି ଘଟଣାର ତଦନ୍ତରେ ଡୋରି ବନ୍ଧା ହୋଇଥିବା ବେଳେ ବର୍ତ୍ତମାନ ମୂର୍ତ୍ତି ଚୋରି ତଦନ୍ତରେ ବି ସମାନ ଅବସ୍ଥା ହେବ ବୋଲି ସ୍ଥାନୀୟ କେତେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅନେକ ଥର ମନ୍ଦିର ପରିସରରୁ ଚନ୍ଦନ ଗଛ ଚୋରି ହୋଇଛି। ହେଲେ ଆଜି ପର୍ଯ୍ୟନ୍ତ ମନ୍ଦିରରୁ ଚୋରି ସମ୍ପର୍କରେ କୌଣସି ତଥ୍ୟ ପଦାକୁ ଆସିପାରିନାହିଁ। ଏନେଇ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share