ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି

ଇସ୍‌ଲାମାବାଦ୍‌,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସବୁ ଦେଶରେ ସରକାର ଏକତ୍ରିତ ହୋଇଥିବା ବେଳେ ସରକାରଙ୍କ ସହ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଇଛନ୍ତି। କିଏ ସହାୟତା ରାଶି ଦାନ କରୁଛି ତ କିଏ ଅସହାୟଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଉଛି। ଇତିମଧ୍ୟରେ ପାକିସ୍ତାନର କ୍ରିକେଟ ଖେଳାଳି ସାହିଦ ଆଫ୍ରିଦି ମଧ୍ୟ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି। କରୋନା ବିରୋଧ ଲଢ଼େଇରେ ସାହିଦ ନିଜ ଫାଉଣ୍ଡେସନ୍‌ ପକ୍ଷରୁ ଆବଶ୍ୟକୀୟ ଲୋକଙ୍କ ଯଥାସମ୍ଭବ ସାହାଯ୍ୟ କରୁଛନ୍ତି। କେବଳ ସେତିକି ନୁହେଁ ପାକିସ୍ତାନରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇ ସାହିଦ ହିନ୍ଦୁ ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବା ସହ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି। ଏନେଇ ସାହିଦ ଟୁଇଟ କରି କିଛି ଫଟୋ ଶେୟାର କରିଛନ୍ତି। ଏହି ଅବସରରେ ପାକିସ୍ତାନର ସ୍କ୍ବାସ୍‌ ଖେଳାଳି ଜହାଙ୍ଗୀର ଖାଁ ମଧ୍ୟ ଉପସ୍ଥିତ ଥିଲେ। ତେବେ ତାଙ୍କର ଏହି କାର୍ଯ୍ୟକୁ ଏବେ ସବୁ ମହଲରେ ପ୍ରଶଂସା କରାଯାଉଛି।

Share