ମନ୍ଦିରରେ ଜଳାଭିଷେକକୁ ବିରୋଧ, ଉତ୍ତେଜନା

ଜଳେଶ୍ୱର, ୩୦ା୭ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ନାମ୍ପୋ ଗ୍ରାମସ୍ଥିତ ଶ୍ରୀ ତ୍ରିଲୋଚନେଶ୍ୱରଙ୍କ ଶିବ ମନ୍ଦିରରେ ଜଳାଭିଷେକ ଲାଗି ସୋମବାର ଭୋର ସମୟରେ କେତେକ କାଉଁଡ଼ିଆ ଆସି ପହଞ୍ଚିଥିଲେ। ସେଠାରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ବାଦବିବାଦ ଲାଗି ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟକ୍ତିଗତ ମାଲିକାନାରେ ଥିବା ମନ୍ଦିରରେ ଜଳାଭିଷେକ କରିବା ପ୍ରଥା ନାହିଁ ବୋଲି ସେବାୟତ ସୁଶୀଲ କୁମାର ପତି ଓ ରାମକୃଷ୍ଣ ପତି କାଉଁଡ଼ିଆଙ୍କୁ କହି ମନ୍ଦିରରେ ତାଲା ପକାଇ ଦେଇଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ଖବର ପାଇ ଜଳେଶ୍ୱର ଥାନା ଆଇଆଇସି ପ୍ରଦୀପ କୁମାର ମାଝୀ, ଏଏସଆଇ ସତ୍ୟନାରାୟଣ ବଳ ସଦଳବଳେ ସେଠାରେ ପହଞ୍ଚିଥିଲେ। ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ ସେବାୟତଙ୍କ ସହିତ ଆଲୋଚନା ପରେ କାଉଁଡ଼ିଆଙ୍କୁ ଦିନକ ଲାଗି ଜଳାଭିଷେକ କରିବା ସକାଶେ ଅନୁମତି ଦିଆଯାଇଥିଲା। ଏହାର ସ୍ଥାୟୀ ସମାଧାନ ନିମନ୍ତେ ମଙ୍ଗଳବାର ଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଆଇଆଇସି ପ୍ରକାଶ କରିଛନ୍ତି। ଉଲ୍ଲେଖନୀୟ ଯେ, ଆଜକୁ ବହୁ ବର୍ଷ ପୂର୍ବେ ଜଣେ ଜମିଦାର ଏହି ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ। ମନ୍ଦିରରେ ସେବାପୂଜା କରି ଏହାର ରକ୍ଷଣାବେକ୍ଷଣ କରିବା ସକାଶେ ମନ୍ଦିର ନାମରେ ଥିବା ଧନସମ୍ପତ୍ତିକୁ ସେବାୟତଙ୍କ ଜିମାରେ ଦିଆଯାଇଥିଲା। ଚଡ଼କ ପର୍ବଠାରୁ ଆରମ୍ଭକରି ବିଭିନ୍ନ ପର୍ବପର୍ବାଣି ସମୟରେ ମନ୍ଦିରରେ ଏଭଳି ବିବାଦୀୟ ସ୍ଥିତି ସୃଷ୍ଟି ହେଉଥିବାରୁ ଏହାର ସ୍ଥାୟୀ ପ୍ରତିକାର ଲାଗି ଗ୍ରାମବାସୀ ଦାବି କରିଛନ୍ତି।

Share