ମନ୍ଦିରରେ ଝିଅ ବାହାକଲେ ମୁସ୍‌ଲିମ୍‌ ଦମ୍ପତି

କାସାରଗଡ଼: କେରଳରେ ଏକ ମୁସ୍‌ଲିମ୍‌ ପରିବାର ଝିଅର ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ କରାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କାସାରଗଡ଼ ଜିଲାର କହ୍ନାଂଗଡ଼ ଭଗବତୀ ମନ୍ଦିରରେ ରାଜେଶ୍ୱରୀଙ୍କ ବିବାହ ବିଷ୍ଣୁପ୍ରସାଦ ନାମକ ଯୁବକଙ୍କ ସହ ଅନୁଷ୍ଠିତ ହୋଇଯାଇଛି। ମୁସ୍‌ଲିମ୍‌ ଦମ୍ପତିଙ୍କ କହିବା ହେଲା, ରାଜେଶ୍ୱରୀଙ୍କ ବାପା ମୁସ୍‌ଲିମ୍‌ ଦମ୍ପତିଙ୍କ ଘରେ ଏବଂ ଫାର୍ମରେ କାମ କରୁଥିଲେ। ହେଲେ ରାଜେଶ୍ୱରୀଙ୍କୁ ଯେତେବେଳେ ୭ ବର୍ଷ ହୋଇଥିଲା, ତାଙ୍କ ମା’ବାପାଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ ମୁସ୍‌ଲିମ୍‌ ଦମ୍ପତି ରାଜେଶ୍ୱରୀଙ୍କୁ ଘରେ ରଖି ପାଳିଥିଲେ। ନିଜ ୩ ପୁଅଙ୍କ ଭଳି ତାଙ୍କୁ ମଧ୍ୟ ସମାନ ସ୍ନେହ ଦେଇଥିଲେ। ଇତିମଧ୍ୟରେ ଝିଅକୁ ୨୨ ବର୍ଷ ହୋଇଥିବାବେଳେ ପରିବାର ଲୋକେ ତାଙ୍କ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ଲ୍ୟାବ୍‌ ଟେକ୍ନିସିଆନ୍‌ଭାବେ କାମ କରୁଥିବା ବିଷ୍ଣୁ ପ୍ରସାଦଙ୍କ ସହ ଝିଅର ବିବାହ ଠିକ୍‌ କରିଥିଲେ। ବର ଘର ଲୋକେ ମନ୍ଦିରରେ ବିବାହ ପାଇଁ ଇଚ୍ଛାପ୍ରକାଶ କରିବାରୁ ଉଭୟ ପରିବାରର ଉପସ୍ଥିତିରେ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଛି। ରାଜେଶ୍ୱରୀଙ୍କୁ ପାଳିଥିବା ମୁସ୍‌ଲିମ୍‌ ପରିବାର ବିବାହ ବେଦିଠାରୁ ଦୂରରେ ରହିଥିଲେ ମଧ୍ୟ ବିବାହ ସମୟରେ ବରଙ୍କ ପରିବାର ଲୋକେ ସେମାନଙ୍କୁ କନ୍ୟା-ବରଙ୍କ ନିକଟକୁ ସ୍ବାଗତ କରିଥିଲେ। ବିବାହ ପରେ ରାଜେଶ୍ୱରୀ ଏବଂ ତାଙ୍କ ସ୍ବାମୀ ପାଳିଥିବା ମା’ବାପାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଇଥିଲେ। ଏଭଳି ଏକ ନିଆରା ବିବାହକୁ ଅନେକ ଲୋକ ପସନ୍ଦ କରିବା ସହ ସାମ୍ପ୍ରଦାୟିକ ସଦ୍‌ଭାବର ଏହା ଏକ ନିଚ୍ଛକ ନମୁନା ବୋଲି ମତପ୍ରକାଶ ପାଇଛି।

Share