ମନ୍ଦିର ଦାନବାକ୍ସ ତାଡ଼ି ଚୋରି: ପୋଲିସର ତଦନ୍ତ ଜାରି

ବଡ଼ବିଲ,୯।୧୨(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଟାଉନ ଫାଣ୍ଡି ନଂ. ୧ ସମ୍ମୁଖ ହରିହର ମନ୍ଦିର ପରିସରରେ ଥିବା ଦାନ ବାକ୍ସକୁ କେହି ଦୁର୍ବୃତ୍ତ ରବିବାର ବିଳମ୍ବିତ ରାତିରେ ତାଡ଼ି ଦାନ ଅର୍ଥ ନେଇଯାଇଥିବା ଜଣାପଡ଼ିଛି। ଖବରପାଇ ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ଓ ଏସ୍‌ଡିପିଓ ସତ୍ୟପ୍ରକାଶ ଭୂୟାଁ ସଦଳବଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଥିଲେ ହେଁ ଅପରାଧୀଙ୍କ ଟେର୍‌ ମିଳିପାରିନାହିଁ। ଏ ନେଇ ଆଇଆଇସି କୁହନ୍ତି, ସୋମବାର ଭୋର ସମୟରେ ସେ ଫାଣ୍ଡି ପରିଦର୍ଶନରେ ଆସିଥିଲାବେଳେ କର୍ମଚାରୀମାନେ ଶୋଇପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ଦାନ ବାକ୍ସଟିକୁ ମାସକରେ ଥରେ ଖୋଲାଯାଉଥିବାରୁ ସେଭଳି ଅଧିକ ଅର୍ଥ ନ ଥିବା ମନ୍ଦିର କମିଟି ସଭାପତି ତଥା ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା କହିଛନ୍ତି। ହେଲେ ସମ୍ମୁଖରେ ଫାଣ୍ଡି ଥାଇ ସୁଦ୍ଧା ପ୍ରତିବର୍ଷ ମନ୍ଦିରର ଦାନବାକ୍ସ ଚୋରି ହେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ତହସିଲଦାର। ତେବେ ଦାନବାକ୍ସ ଅର୍ଥର ହିସାବ ଆକଳନ କରାଯାଇ ପାରି ନ ଥିବାବେଳେ ପାଣ୍ଡି ସମ୍ମୁଖରୁ ଚୋରି ଘଟଣା ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।